Categories: ଖେଳ

ଫୁଲ, ନକୁଳ, ରମେଶ ପୁରସ୍କୃତ

ଭୁବନେଶ୍ୱର, ୧।୩ (କ୍ରୀଡ଼ା ପ୍ରତିନିଧି): କୋଭିଡ୍‌-୧୯ ମହାମାରୀ ପାଇଁ ୨ ବର୍ଷ ଧରି ବନ୍ଦ ରହିଥିବା ବିଆର୍‌ଏମ୍‌-ଆଶା ପୁରସ୍କାର ପ୍ରଦାନ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ଭାରତୀ ରଥ ମେମୋରିଆଲ ଏକାଡେମୀ ଅଫ୍‌ ସ୍ପେଶାଲ ହ୍ୟୁମାନ ଆବିଲିଟିଜ୍‌ ଏବଂ ଓପନ ଲର୍ନିଂ ସିଷ୍ଟମ୍ସ (ଓଏଲ୍‌ଏସ୍‌)ର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଭୁବନେଶ୍ୱର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି, ବିଧାୟକ ସୁଶାନ୍ତ କୁମାର ରାଉତ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ଓପନ ଲର୍ନିଂ ସିଷ୍ଟମ୍ସ ସିଇଓ ତଥା ବିଆରଏମ୍‌-ଆଶା ସମ୍ପାଦକ ପ୍ରକାଶ ରଥ ବାର୍ଷିକ ବିବରଣୀ ପାଠ କରିବା ସହ ଦିବ୍ୟାଙ୍ଗ ପାଇଁ ଏହି ଦୁଇ ଅନୁଷ୍ଠାନର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଦୃଷ୍ଟିବାଧିତ ମହିଳା କ୍ରିକେଟର ଫୁଲ ସୋରେନ, ପୁରୁଷ କ୍ରିକେଟର ନକୁଳ ବଡ଼ନାୟକ, ଅନ୍ତର୍ଜାତୀୟ ଆଡ୍‌ଭେଞ୍ଚର ସାଇକ୍ଲିଷ୍ଟ କୁମାର ଦେବଦତ୍ତ ଏବଂ ଅନ୍ତର୍ଜାତୀୟ ହୁଇଲ ଚେୟାର ଫେନ୍‌ସିଂ ତାରକା ଭି. ରମେଶ ରାଓଙ୍କୁ ପୁରସ୍କୃତ କରାଯାଇଥିଲା। ଜର୍ନାଲିଷ୍ଟ ତାଜିନ କୁରେଶି, ଶତରୂପା ସାମନ୍ତରାୟ ଓ ପ୍ରକାଶ କୁମାର ସାହୁଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଓପନ ଲର୍ନିଂ ସିଷ୍ଟମର ଛାତ୍ର ଓ ସଦସ୍ୟଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଓଏଲ୍‌ଏସ ପ୍ରତିଷ୍ଠାତା କସ୍ତୁରି ମହାପାତ୍ର, ସଭାପତି ଅଜିତ ମହାନ୍ତି, ସମ୍ପାଦକ ପ୍ରତାପ ରଥ, ବିଆରଏମ୍‌-ଆଶାର ଉପସଭାପତି ପ୍ରଦୀପ୍ତ ରଥ ପ୍ରମୁଖ ଉପସ୍ଥିତ ଥିଲେ। ଓଏଲ୍‌ଏସ୍‌ ସଦସ୍ୟ ମଞ୍ଜୁଶ୍ରୀ ପଟ୍ଟନାୟକ, ସାଗରିକା ସାହୁ ଓ ଦାମୋଦର ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Share