ଏଭିଆନ୍-ଲେସ୍ବାଏନ୍ସ,୧୮।୬(ପି.ଟି.): ଚଳିତ ବର୍ଷ ଶେଷ ସୁଦ୍ଧା ଭାରତ ଏବଂ ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ମହତ୍ତ୍ୱାକାଂକ୍ଷୀ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫ୍ଟିଏ) ସ୍ବାକ୍ଷର ହେବ ବୋଲି ବୁଧବାର ଇୟୁ ନେତା ଉର୍ସୁଲା ଭନ୍ ଡେର୍ ଲେୟେନ୍ ଘୋଷଣା କରିଛନ୍ତି। ଜି-୭ ସମିଟ୍ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ପରେ ଲେୟେନ୍ ଏହା କହିଛନ୍ତି। ଅସ୍ଥିର ଭୂରାଜନୈତିକ ସ୍ଥିତି ସତ୍ତ୍ୱେ ୨ ଦେଶ ମଧ୍ୟରେ ଅର୍ଥନୈତିକ ଓ ବାଣିଜି୍ୟକ ସମ୍ପର୍କ ବଢ଼ାଇବା ଉପରେ ୨ ନେତା ଗୁରୁତ୍ୱ ଦେଇଥିଲେ। ଏଥିସହିତ ସୁରକ୍ଷା ଓ ପ୍ରତିରକ୍ଷା ସହଯୋଗ ବଢ଼ାଇବା ପାଇଁ ଉଭୟ ନେତା ସଂକଳ୍ପ ନେଇଛନ୍ତି। ବୈଠକରେ ୟୁରୋପିଆନ୍ କାଉନ୍ସିଲ୍ ଅଧ୍ୟକ୍ଷ ଆଣ୍ଟୋନଓ କୋଷ୍ଟା ମଧ୍ୟ ସାମିଲ ହୋଇଥିଲେ। ସେମାନେ ବାଣିଜ୍ୟ ଚୁକ୍ତିରେ ତୁରନ୍ତ ସ୍ବାକ୍ଷର ଏବଂ ଏହାର କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଫ୍ଟିଏ ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ବିଶାଳ ସୁଯୋଗ ଖୋଲିଦେବ ବୋଲି କୁହାଯାଇଛି। ଗତ ଜାନୁଆରୀ ୨୭ରେ ମୋଦି ଏବଂ ୟୁରୋପୀୟ ୟୁନିୟନର ଶୀର୍ଷ ନେତାମାନଙ୍କ ବୈଠକ ପରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପାଇଁ ବୁଝାମଣା ସମ୍ପୂର୍ଣ୍ଣ ହେଲା ବୋଲି ଘୋଷଣା କରାଯାଇଥିଲା।