ବନ୍ଦ ହେବ ରାସାୟନିକ ପ୍ରକ୍ର୍ରିୟାକୃତ ପନିର ବିକ୍ରି

ନୂଆଦିଲ୍ଲୀ,୨୫।୯: ଖାଦ୍ୟ ଅପମିଶ୍ରଣ ଏବଂ ଖାଦ୍ୟ ପ୍ୟାକେଟ୍‌ରେ ବିଭ୍ରାନ୍ତିକର ଦାବି କରୁଥିବା କମ୍ପାନୀଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରିବା ଲକ୍ଷ୍ୟରେ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ(ଏଫ୍‌ଏସ୍‌ଏସ୍‌ଏଆଇ) ବଜାରରେ ମିଳୁଥିବା ପନିରକୁ ନେଇ ବଡ଼ ଟିପ୍ପଣୀ କରିଛନ୍ତି। ପ୍ରାକୃତିକ ଉପାୟରେ କ୍ଷୀରରୁ ପ୍ରସ୍ତୁତ ପନିର ତୁଳନାରେ ଏବେ ବଜାରରେ ଏହାର ବିକଳ୍ପ କିମ୍ବା ପନିର ଭଳି ଉତ୍ପାଦ ବିକ୍ରି ହେଉଛି। ଏଭଳି ପନିର ପାରମ୍ପରିକ ଢଙ୍ଗରେ କ୍ଷୀରରୁ ପ୍ରସ୍ତୁତ ହୋଇ ନ ଥିଲାବେଳେ କାରଖାନାରେ ଅତି-ପ୍ରକ୍ରିୟାକରଣ କରାଯାଇ ରାସାୟାନିକ ଦ୍ରବ୍ୟ ମିଶ୍ରଣରେ ପ୍ରସ୍ତୁତ ହୋଇଥାଏ, ଯେଉଁଥିରେ କ୍ଷୀରର ଚର୍ବି ଏବଂ କଠିନ ଅଂଶକୁ ଆଂଶିକ ଭାବରେ ବଦଳାଇ ଦିଆଯାଇଥାଏ। ଏଫ୍‌ଏସ୍‌ଏସ୍‌ଏଆଇ ଏହାକୁ ‘ଆନାଲଗ୍‌ ପନିର’ ଭାବେ ଅଭିହିତ କରିବା ସହିତ ଏହାର ଉତ୍ପାଦନ ଏବଂ ବିକ୍ରି ନିଷେଧ କରିବା ପାଇଁ ପ୍ରସ୍ତାବ ଦେଇଛି। ଏପରିକି ବଜାରରେ ଏହାକୁ ପନିର ବୋଲି କୁହାଯାଇ ବିକ୍ରି ନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଯେଉଁ ଉଦ୍ୟୋଗ ଏଭଳି ବିକଳ୍ପ ପନିର ପ୍ରସ୍ତୁତ କରୁଥିବା ସେହି ସଂସ୍ଥା ଗ୍ରାହକଙ୍କୁ ସ୍ପଷ୍ଟ ଅବଗତ କରିବ। ସେହିପରି ଯେଉଁ ସଂସ୍ଥାଗୁଡିକ ଏପରି ଉତ୍ପାଦ ବ୍ୟବହାର କରୁଛନ୍ତି ସେମାନେ ମଧ୍ୟ ମେନୁ କାର୍ଡ ଏବଂ ପ୍ୟାକେଜିଂ ଲେବଲରେ ଏହି ସୂଚନା ଦେବା ଜରୁରୀ ବୋଲି ଏଫ୍‌ଏସ୍‌ଏସ୍‌ଏଆଇ କହିଛି। ଯଦି ଉପରୋକ୍ତ ପ୍ରସ୍ତାବ କାର୍ଯ୍ୟକାରୀ ହୁଏ ତେବେ ହୋଟେଲ, ରେଷ୍ଟୁରାଣ୍ଟ ଏବଂ କ୍ୟାଟରିଂ ସଂସ୍ଥା ପ୍ରଭାବିତ ହେବେ।

 

Dharitri – Odisha’s No.1 Odia Daily

Share