ଓଜନ କମାଇବ ଫ୍ରୁଟ୍‌ ଜୁସ୍‌

ତଟକା ଫଳମୂଳ ଆମ ଶରୀର ପାଇଁ କେତେ ଉପକାରୀ ତାହା ବର୍ଣ୍ଣନା କରିବା ଅନାବଶ୍ୟକ। କାରଣ ଏଥିରେ ବିଭିନ୍ନ ପ୍ରକାର ଭିଟାମିନ ଭରି ରହିଛି। ଏହା ଶରୀରକୁ ଶକ୍ତି ପ୍ରଦାନ କରିବା ସହ ମନକୁ ଫ୍ରେସ୍‌ ରଖିଥାଏ। କେବଳ ସେତିକି ନୁହେଁ, ଏଥିରୁ ପ୍ରସ୍ତୁତ ଜୁସ୍‌ ମଧ୍ୟ ଶରୀର ପାଇଁ ବେଶ୍‌ ଉପକାରୀ। ତେବେ ଏହାର ଆଉ ଏକ ସୁପ୍ରଭାବ ଶରୀର ଉପରେ ପଡିଥାଏ। ନିୟମିତ ଫ୍ରୁଟ୍‌ ଜୁସ୍‌ ପିଇଲେ ତାହା ଓଜନ କମାଇବାରେ କେତେକାଂଶରେ ସହାୟକ ହୋଇଥାଏ ବୋଲି ଏକ ସର୍ଭେରୁ ଜଣାପଡିଛି। ‘ଫ୍ରୁଟ୍‌ ଜୁସ୍‌ ଏବଂ ଓଜନ କମିବା’ ବିଷୟ ଉପରେ ସିଓଲ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ସର୍ଭେ କରି ଏକଥା ଜାଣିପାରିଛନ୍ତି। ଓଜନ ବୃଦ୍ଧି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ଏହାର ଅନ୍ତର୍ଭୁକ୍ତ କରାଯାଇଥିଲା। ସେମାନଙ୍କ ଖାଦ୍ୟପେୟ ପ୍ରତି ଦୃଷ୍ଟି ଦିଆଯିବା ସହ ନିୟମିତ ଫ୍ରୁଟ୍‌ ଜୁସ୍‌ ପିଇବାକୁ ଦିଆଯାଇଥିଲା। ଅନ୍ୟପକ୍ଷରେ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଏହାର ପ୍ରଭାବ ସେମାନଙ୍କର ଓଜନ ବୃଦ୍ଧି ଉପରେ କିପରି ପଡୁଛି ତାହାକୁ ବିଶେଷଜ୍ଞମାନେ ଲକ୍ଷ୍ୟ କରିଥିଲେ। ଶେଷରେ ଏହାଦ୍ୱାରା କେତେକ ବ୍ୟକ୍ତିଙ୍କ ଓଜନ ନିୟନ୍ତ୍ରିତ ହେଉଥିବାର ଜଣାପଡିଥିଲା। ତେବେ ଓଜନକୁ ସନ୍ତୁଳିତ ରଖିବା ଲାଗି ଖାଦ୍ୟପେୟ ପ୍ରତି ନଜର ଦେବା ସହ ନିୟମିତ ବ୍ୟାୟାମ କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି।

Dharitri – Odisha’s No.1 Odia Daily

Share