ଟ୍ୟାକ୍ସ ଚୋରିରୁ ଛାଡ଼ପତ୍ର…ଏସବୁ କାରଣରୁ ବିବାଦରେ ସାଉଥ ସୁପରଷ୍ଟାର ବିଜୟ

ହାଇଦ୍ରାବାଦ: ରିଲିଜ ଅପେକ୍ଷାରେ ରହିଛି ସୁପରଷ୍ଟାର ଅଭିନେତା ଥାଲାପାଥି ବିଜୟଙ୍କ ଫିଲ୍ମ ‘ଭାରିସୁ’। ଏହି ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଅଭିନେତାଙ୍କ ବ୍ୟକ୍ତିଗତ ଜୀବନ ଗଣମାଧ୍ୟମର ଶିରୋନାମା ପାଲଟିଛି। ସେଇଟି ହେଲା ଅଭିନେତା ତାଙ୍କର ସ୍ତ୍ରୀ ସଂଙ୍ଗୀତାଙ୍କୁ ଛାଡ଼ପତ୍ର ଦେବାକୁ ଯାଉଥିବା କୁହାଯାଉଛି। ଆଧିକାରିକ ଭାବେ ବିଜୟଙ୍କ ପକ୍ଷରୁ କୌଣସି ବୟାନ ଜାରି କରାଯାଇ ନ ଥିଲେ ହେଁ ଏହାକୁ ନେଇ ବିବାଦ ଦେଖାଦେଇଛି। ତେବେ ବିବାଦ ସହ ବିଜୟଙ୍କ ପୁରୁଣା ସମ୍ପର୍କ ରହିଛି। ପୂର୍ବରୁ ମଧ୍ୟ ସେ ଟ୍ୟାକ୍ସ ଚୋରିଠାରୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ବିବାଦରେ ଫସିଛନ୍ତି।

ବିଜୟ ଏବଂ ସଙ୍ଗୀତା ନିଜର ବ୍ୟକ୍ତିଗତ ଜୀବନକୁ ଗୋପନ ରଖି ଆସିଛନ୍ତି। ହେଲେ କିଛି ରିପୋର୍ଟ ଅନୁଯାୟୀ ଏହି ଯୋଡ଼ି ଏବେ ଛାଡ଼ପତ୍ର ନେବାକୁ ଯାଉଛି। ଉଇକିପିଡିଆରେ ମଧ୍ୟ ସେ ଆପୋଶ ବୁଝାବଣାରେ ଏହି ନିଷ୍ପତ୍ତି ନେଇଥିବା ଲେଖାଯାଇଥିବା କୁହାଯାଉଛି।

ପୂର୍ବରୁ ବିଜୟ ଟ୍ରାଫିକ ନିୟମ ଉଲ୍ଲଂଘନ କରିବାକୁ ନେଇ ଜରିମାନା ଗଣିଥିଲେ। କାର୍‌ରେ କଳାକାଚ ଲଗାଇବାକୁ ନେଇ ସେ ତଣ୍ଡ ଗଣିଥିଲେ। ଏହାଛଡ଼ା ଗତବର୍ଷ ବିଜୟ ଟ୍ୟାକ୍ସ ପୈଠ ନ କରିବାକୁ ନେଇ ୧ ଲକ୍ଷ ଜରିମାନା ଗଣିଥିଲେ।

୨୦୨୦ ଫେବୃୟାରୀ ୫ରେ ବିଜୟଙ୍କ ଶୁଟିଂସେଟ୍‌ରେ ଚଢ଼ାଉ କରାଯାଇଥିଲା। ଏକ କଥିତ ଟ୍ୟାକ୍ସ ଚୋରି ମାମଲାରେ ଯାଞ୍ଚ ଲାଗି ଅଭିନେତାଙ୍କୁ ଆଇଟି ଅଧିକାରୀଙ୍କ ସହ ଯିବାକୁ କୁହାଯାଇଥିଲା। ଏବେ ବି ତାଙ୍କ ଘର ଏବଂ ଅନ୍ୟ ସମ୍ପତ୍ତି ବିଷୟରେ ଯାଞ୍ଚ କରାଯାଉଛି।

ବିଜୟଙ୍କ ଫିଲ୍ମ ‘ବିଗିଲ’ ସବୁଠାରୁ ବିବାଦୀୟ ଫିଲ୍ମ ମଧ୍ୟରୁ ଗୋଟିଏ। କାହାଣୀ ଚୋରି କରି ଏହି ଫିଲ୍ମ ନିର୍ମାଣ ହେବାର ଅଭିଯୋଗ ଲଗାଯାଇଛି। ଏପରିକି ଫିଲ୍ମର ଶୁଟିଂ ଉପରେ ରୋକ ଲଗାଇବାକୁ ଦାବି କରାଯାଇଛି।

Share