Categories: ଜାତୀୟ

ମଣ୍ଡପରୁ ଖସି ପଳାଇଲା ବର, କନ୍ୟାଙ୍କ ହାତ ଧରିଲେ ଅତିଥି

ବାଙ୍ଗାଲୁରୁ,୭।୧- କର୍ନାଟକର ଚିକାମାଗାଲୁରୁ ଜିଲାରେ ଆୟୋଜିତ ଏକ ବିବାହ ଉତ୍ସବରେ ଯୋଗଦେଇଥିବା ଅତିଥିମାନେ ଦେଖିବାକୁ ପାଇଛନ୍ତି ବଲିଉଡ୍‌ର ପୁରୁଣା ଫିଲ୍ମ ଭଳି ଦୃଶ୍ୟ। ମଣ୍ଡପରେ କନ୍ୟାକୁ ଛାଡ଼ି ପଳାଇଲା ବର। କନ୍ୟା ଓ ତା’ ପରିବାରର ସମ୍ମାନ ବଞ୍ଚାଇବା ଲାଗି ଅତିଥିଙ୍କ ଗହଣରୁ ଆଗେଇ ଆସିଲେ ଜଣେ ସହୃଦୟ ଯୁବକ।

ଘଟଣାଟି ଚିକାମାଗାଲୁରୁ ଜିଲାର ତାରିକେରୋ ତାଲୁକ ଗାଁରେ ଘଟିଛି। ଅଶୋକ ଓ ନବୀନ ଦୁଇ ଭାଇଙ୍କ ବିବାହ ଗୋଟିଏ ଦିନ ଗୋଟିଏ ମଣ୍ଡପରେ ହିଁ ହେବାର ଥିଲା। ବିବାହ ପୂର୍ବ ଦିନ ନବୀନ ଓ ତାଙ୍କ ଭାବି ପତ୍ନୀ ସିନ୍ଧୁଙ୍କ ସହ ଫଟୋଶୁଟ ମଧ୍ୟ କରିଥିଲେ। ହେଲେ ବିବାହ ଦିନ ମିଳି ନ ଥିଲା ନବୀନଙ୍କ ପତା।

ଏହାର କାରଣ ମଧ୍ୟ ପୂରା ଫିଲ୍ମ। ନବୀନଙ୍କ ପ୍ରେମିକା ବିବାହ ଉତ୍ସବରେ ସଭିଙ୍କ ଆଗରେ ବିଷ ପି ଆତ୍ମହତ୍ୟା କରି ଦେବେ ବୋଲି ଦେଇଥିଲେ ଧମକ। ଏଭଳି ପରିସ୍ଥିତିରୁ ବର୍ତ୍ତିବା ଲାଗି ନବୀନ ବିବାହ ମଣ୍ଡପରୁ ଚମ୍ପଟ ମାରିଥିଲେ। ଏ ଖବର ପାଇବା ପରେ ଭାଙ୍ଗି ପଡ଼ିଥିଲେ ସିନ୍ଧୁଙ୍କ ପରିବାର ଲୋକେ। ଏହାପରେ ଆରମ୍ଭ ହୋଇଥିଲା ଅତିଥିଙ୍କ ମଧ୍ୟରୁ ସିନ୍ଧୁଙ୍କ ପାଇଁ ଉଚିତ ବର ଖୋଜା। ବିବାହ ପାଇଁ ହଁ କରିଥିଲେ ଚନ୍ଦ୍ରପ୍ପା ନାମକ ଜଣେ ବିଏମ୍‌ଟିସି କଣ୍ଡକ୍ଟର। ପୂରା ଫିଲ୍ମ ଭଳି ଏଥିରେ ହିରୋ, ହିରୋଇନ ଓ ଭିଲିଆନ ସମସ୍ତେ ଅଛନ୍ତି। ହେଲେ ଏହା ଫିଲ୍ମ ନୁହେଁ, ଏକ ସତ୍ୟ ଘଟଣା।

Share