ମହରଗରୁ କାନ୍ତାରରେ

ଚାଇନାର ତିଆନ୍‌ଜିନ୍‌ଠାରେ ସାଂଘାଇ ସହଯୋଗ ସଙ୍ଗଠନ (ଏସ୍‌ସିଓ) ନେତାଙ୍କ ସମ୍ମିଳନୀ ୩୧ ଅଗଷ୍ଟ ୨୦୨୫ରେ ଆରମ୍ଭ ହୋଇଛି। ସମ୍ମିଳନୀ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଏକ ଘଣ୍ଟା ଧରି ଆଲୋଚନା କରିଛନ୍ତି। କଥାବାର୍ତ୍ତା ଲାଗି ୪୦ ମିନିଟ୍‌ ସମୟ ରହିଥିବା ବେଳେ ଦୁଇ ନେତା ଗପୁଗପୁ ଏକ ଘଣ୍ଟା ହୋଇଯାଇଥିବା ଭାରତୀୟ ଗଣମାଧ୍ୟମରୁ ଖବର ମିଳିଛି। ମନେପକାଇ ଦିଆଯାଇପାରେ ଯେ, ରୁଷିଆର କାଜାନଠାରେ ଗତବର୍ଷ ଅକ୍ଟୋବର ୨୩ରେ ହୋଇଥିବା ବ୍ରିକ୍ସ ଶିଖର ସମ୍ମିଳନୀ ପୃଷ୍ଠଭୂମିରେ ଉଭୟ ନେତା ପରସ୍ପରକୁ ଭେଟି ସୀମା ବିବାଦ ନେଇ ଆଲୋଚନା କରିଥିଲେ। ତେବେ ଜନସଂଖ୍ୟା ୨.୮ ବିଲିୟନ ଧାରଣ କରିଥିବା ଏହି ଦୁଇ ଦେଶର ଶୀର୍ଷ ନେତାଙ୍କ ଭେଟଘାଟ ଏବେ ଗୁରୁତ୍ୱ ବହନ କରିବାର ଏକାଧିକ କାରଣ ରହିଛି। ପ୍ରମୁଖ କାରଣ ହେଲା ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଟାରିଫ୍‌ ଲଗାଇବା ପରେ ମୋଦି ଓ ଟ୍ରମ୍ପ୍‌ଙ୍କ ମଧ୍ୟରେ ସମ୍ପର୍କ ବିଗିଡ଼ି ଯାଇଛି। ଏହି ପରିପ୍ରେକ୍ଷୀରେ ବିଶ୍ୱର ପ୍ରାଚୀନ ଦୁଇ ପ୍ରାଚ୍ୟ ସଭ୍ୟତା ଚାଇନା ଓ ଭାରତ ମଧ୍ୟରେ ଦୀର୍ଘବର୍ଷ ହେବ ରହିଆସିଥିବା ଶତ୍ରୁତାରେ ମୋଦି ଓ ଜିନ୍‌ପିଙ୍ଗ୍‌ ଆଲୋଚନା କିଭଳି ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଯେଉଁ ବାଣିଜ୍ୟ ପ୍ରସଙ୍ଗକୁ ନେଇ ଗୋଟେ ବଡ଼ ଡିଲ୍‌ ହୋଇପାରେ ବୋଲି ଆଶା କରାଯାଉଥିଲା, କଥାବାର୍ତ୍ତାରୁ ସେଭଳି ଅଗ୍ରଗତି ହେଲା ଭଳି ପ୍ରତୀୟମାନ ହୋଇନାହିଁ। ମନେପଡ଼େ ୨୦୧୪ ସେପ୍ଟେମ୍ବରରେ ମୋଦି ଓ ଜିଙ୍ଗପିଙ୍ଗ୍‌ ଗୁଜରାଟର ଅହମଦାବାଦଠାରେ ଦୋଳି ଖେଳିବା ସହ ଅନେକ ବ୍ୟକ୍ତିଗତ ବନ୍ଧୁତ୍ୱ ପ୍ରଦର୍ଶନ କରିଥିଲେ। ଏହା ପରେ ଡୋକ୍‌ଲାମରେ ଭାରତ-ଚାଇନା ସେନା ମୁହାଁମୁହିଁ ହେବାରୁ ଏକପ୍ରକାର ଯୁଦ୍ଧ ସ୍ଥିତି ଦେଖାଦେଇଥିଲା, ଯାହା ପରେ ଭାରତ ଜମି ଛାଡ଼ିବା ପାଇଁ ବାଧ୍ୟ ହୋଇଥିଲା। ସେହିପରି ୨୦୧୯ ଅକ୍ଟୋବରରେ ତାମିଲନାଡୁର ମହାବଳିପୁରମ୍‌ରେ ଉଭୟଙ୍କ ବନ୍ଧୁତ୍ୱ ଚର୍ଚ୍ଚାକୁ ଆସିଥିଲା। ତା’ର କିଛିମାସ ପରେ ୨୦୨୦ ଜୁନ୍‌ରେ ଗଲଓ୍ବାନ୍‌ରେ ୨୦ ଭାରତୀୟ ଯବାନଙ୍କୁ ଚାଇନା ସୈନ୍ୟ ହତ୍ୟା କରିଥିଲେ। ଏବେ ତିଆନଜିନ୍‌ଠାରେ ମୋଦି-ଜିନ୍‌ପିଙ୍ଗ୍‌ଙ୍କ ଆଲୋଚନା ସୀମାରେ ଶାନ୍ତି ବଜାୟ ରଖିବା ସହ ପାରସ୍ପରିକ ବିଶ୍ୱାସ ବଢ଼ାଇବା ଓ ଦୀର୍ଘ ୫ ବର୍ଷ ପରେ ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ କରିବା ବିଷୟ ସ୍ଥାନ ପାଇଛି। ଏହାର ବାସ୍ତବ ପ୍ରତିଫଳନ କେଉଁଭଳି ହେବ ତାହା ଜାଣିବା ପାଇଁ ଅପେକ୍ଷା କରିବାକୁ ପଡ଼ିବ।
ଆମେରିକାଠାରୁ ଭାରତ ମୁହଁ ଫେରାଇ ଚାଇନା ଆଡ଼କୁ ଢଳିବାକୁ ନେଇ ଆଶା କରାଯାଉଥିଲା ଯେ କିଛି ଗୋଟେ ବଡ଼ ବାଣିଜି୍ୟକ ଆଶ୍ୱାସନା ମିଳିପାରେ । କିନ୍ତୁ ଜଣାପଡ଼ିଛି, ଉଭୟେ ଦେଶ ଦ୍ୱିପାକ୍ଷିକ ବାଣିଜ୍ୟ ଓ ପୁଞ୍ଜିନିବେଶ ବୃଦ୍ଧି କରିବା ସହ ବାଣିଜି୍ୟକ ନିଅଣ୍ଟକୁ ହ୍ରାସ କରିବେ ବୋଲି କଥା ହୋଇଛନ୍ତି। ବିଶ୍ୱ ବାଣିଜ୍ୟରେ ସ୍ଥିରତା ଆଣିବା ଦିଗରେ ଚାଇନା ଓ ଭାରତର ଭୂମିକାକୁ ଜିନ୍‌ପିଙ୍ଗ ସ୍ବୀକୃତି ଦେଇଥିବା ବିଷୟ ଆଲୋଚନା ହୋଇଛି। ଚାଇନାର ଜଣେ କୂଟନୀତିଜ୍ଞ କହିଛନ୍ତି, ଆମେରିକା ଯେଉଁଭଳି ଭାବେ ଭାରତ ଉପରେ ଅତ୍ୟଧିକ ଟାରିଫ୍‌ ଲାଗୁ କରିଛି ସେହି ଦୃଷ୍ଟିରୁ ନୂଆଦିଲ୍ଲୀକୁ ବେଜିଂ ସମର୍ଥନ ଦେବ। ତେବେ ମନେରଖିବାକୁ ହେବ ଯେ, ଚାଇନା ନିଜ ସୀମା ବାହାରେ କୌଣସି ଶିଳ୍ପ ବସାଇବାର ନଜିର ନାହିଁ। କେବଳ ଭିତ୍ତିଭୂମି ଯଥା ପାଣିଜାହାଜ ପାଇଁ ବନ୍ଦର, ଓବର ଭଳି ଯୋଜନାରେ ରାସ୍ତା, ବିମାନବନ୍ଦର ଆଦିରେ ପୁଞ୍ଜି ବିନିଯୋଗ କରି ଚାଇନା ତା’ର ପ୍ରଭାବ ବିସ୍ତାର କରିଆସୁଛି। ସେଥିପାଇଁ ଆମେରିକା ସହିତ ଅପଡ଼ ହେବା ପରେ ଚାଇନା ସହିତ ବନ୍ଧୁତ୍ୱ କରିବା ଭାରତ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ। ଭାରତର କୂଟନୀତିରେ ଚାଇନାକୁ ନେଇ ୧୯୬୨ରୁ ଯେଉଁ ସନ୍ଦେହ ରହିଆସିଛି, ସେହି ସ୍ଥିତିରେ କୌଣସି ପରିବର୍ତ୍ତନ ଆସିଥିଲା ଭଳି ମନେହେଉନାହିଁ। ଆଜି ଯଦି ଚାଇନା କୋଳରେ ବସିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ନିଷ୍ପତ୍ତି ନିଅନ୍ତି, ତେବେ ତାହା ଭବିଷ୍ୟତରେ ଭାରତର ନିରାପତ୍ତାକୁ କ୍ଷୁଣ୍ଣ କରିପାରେ। ଯଦି ବାସ୍ତବରେ ଭାରତର ଅର୍ଥନୀତି ଶକ୍ତିଶାଳୀ ହେଉଛି ଏବଂ ୭.୮ ଜିଡିପି ଅଭିବୃଦ୍ଧି ଘଟିବା ସହିତ ଭାରତ ଏବେ ବିଶ୍ୱର ୪ର୍ଥ ବୃହତ୍‌ ଅର୍ଥନୀତି ହୋଇଗଲାଣି, ତେବେ କୌଣସି ପଡ଼ୋଶୀ ଦେଶର ବୋଲକରା ହେବା ପରିବର୍ତ୍ତେ ନିଜ ଗୋଡ଼ରେ ଛିଡ଼ା ହେବାପାଇଁ ଭାରତ ଉଦ୍ୟମ କରିବା ଦରକାର। ଏଠାରେ ମନେପଡ଼େ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମୁଲାୟମ ସିଂ ଯାଦବ ସଂସଦରେ ବାରମ୍ବାର ଦେଇଥିବା ଚେତାବନୀ। ତାଙ୍କ ପାର୍ଲାମେଣ୍ଟ ଭାଷଣରେ ସେ ଚାଇନାକୁ ଭାରତର ମୁଖ୍ୟ ଶତ୍ରୁ ଭାବେ ଦୋହରାଇଥିଲେ । ଏହା ପରେ ୧୯୯୮ରେ ଜର୍ଜ ଫର୍ଣ୍ଣାଣ୍ଡିଜ୍‌ ପ୍ରତିରକ୍ଷାମନ୍ତ୍ରୀ ଥିବାବେଳେ ଚାଇନା ଭାରତର ଏକନମ୍ବର ଶତ୍ରୁ ବୋଲି ଆଖ୍ୟା ଦେଇଥିଲେ। ଇତିହାସକୁ ଦେଖିଲେ ପ୍ରତ୍ୟେକ ଥର ମୋଦି-ଜିନ୍‌ପିଙ୍ଗ୍‌ଙ୍କ ଭେଟ ହୋଇଛି, ତା’ପରେ ସାମରିକ ଅଘଟଣ ଘଟିଛି; ଯେଉଁଥିରେ ପ୍ରମାଣ ମିଳୁଛି ଯେ ଚାଇନା ତା’ର ବନ୍ଧୁତ୍ୱକୁ ଦୁଇପଇସାରେ ଖାତିର କରେନାହିଁ। ତଥାପି ସେହି ଦେଶରୁ ସବୁ ପ୍ରକାର ସାମଗ୍ରୀ ଭାରତକୁ ଆସିବାରେ ଲାଗିଛି ଏବଂ ଏଥିରେ କୌଣସି ରୋକ୍‌ ଲଗାଇଯାଇ ପାରୁନାହିଁ। ପରିସଂଖ୍ୟାନ ଦେଖିଲେ ଚାଇନା ସହ ଭାରତର ବାଣିଜି୍ୟକ ନିଅଣ୍ଟ ୯୯.୨ ବିଲିୟନ ଆମେରିକୀୟ ଡଲାର ରହିଛି। ଅର୍ଥାତ୍‌ ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତର ରପ୍ତାନି ଚାଇନାକୁ ୧୪.୨୫ ବିଲିୟନ ଆମେରିକୀୟ ଡଲାର ରହିଥିବା ବେଳେ ଆମଦାନୀ ୧୧୩.୫ ବିଲିୟନ ଆମେରିକୀୟ ଡଲାର ରହିଛି। ଏହି ବିଶାଳ ବ୍ୟବଧାନ କମିବା ନେଇ କେତେ ବର୍ଷ ଲାଗିବ କହିବା ମୁସ୍କିଲ। କାରଣ ଚାଇନାର ଚରିତ୍ରକୁ ଦେଖିଲେ ଏହା ସର୍ବଦା ନିଜ ବ୍ୟବସାୟିକ ସ୍ବାର୍ଥକୁ ପ୍ରାଧାନ୍ୟ ଦେଇଥାଏ। ଯୁଦ୍ଧ କିମ୍ବା ଅନ୍ୟାନ୍ୟ ସଂଘର୍ଷରେ ବେଶି ମୁଣ୍ଡ ନ ଖେଳାଇ କିଭଳି ତା’ର ସାମଗ୍ରୀ ସମଗ୍ର ବିଶ୍ୱବଜାରରେ ଜବରଦସ୍ତ ଉପଲବ୍ଧ ହେବ ସେହି ଦିଗରେ କାର୍ଯ୍ୟ କରୁଥାଏ। ବର୍ତ୍ତମାନର ଘଡ଼ିସନ୍ଧି ମୁହୂର୍ତ୍ତରେ ଅନ୍ୟ ବାଣିଜି୍ୟକ ସହଯୋଗୀ ଖୋଜି ତା’ ସହ ଦୃଢ଼ ଆର୍ଥିକ ସମ୍ବନ୍ଧ ବାନ୍ଧିବା ଭାରତ ପାଇଁ କାଠିକର ପାଠ ହୋଇପଡ଼ିବ। ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଟାରିଫ୍‌ ଲାଗୁ କରିବା ପରେ ଭାରତୀୟ ମୁଦ୍ରା ଆମେରିକୀୟ ଡଲାର ତୁଳନାରେ ସର୍ବକାଳୀନ ନିମ୍ନସ୍ତରରେ ପହଞ୍ଚତ୍ୟାଇଛି। ଏହାର ପ୍ରଭାବ ଭାରତର ଗୁରୁତ୍ୱପୂର୍ଣ୍ଣ ଆମଦାନୀ ଉପରେ ଦରବୃଦ୍ଧି ଭଳି ପ୍ରଭାବ ପକାଇବ। ଭାରତୀୟ ଟଙ୍କାକୁ ଯେଉଁଭଳି ବିମୁଦ୍ରୀକରଣ ପରେ ଦୁର୍ବଳ କରିଦିଆଯାଇଛି, ତାହା ଫଳରେ ପଡ଼ୋଶୀ ଦେଶଗୁଡ଼ିକ ମଧ୍ୟ ଏବେ ଭାରତୀୟ ଟଙ୍କାରେ ଭାରତ ସହିତ ବ୍ୟବସାୟ କରିବାକୁ ଅମଙ୍ଗ ହେଉଛନ୍ତି। ଇତିମଧ୍ୟରେ ବୟନ, ଚିଙ୍ଗୁଡ଼ି, ଔଷଧୀୟ ସାମଗ୍ରୀ ରପ୍ତାନିକୁ କ୍ଷତି ପହଞ୍ଚତ୍ ସାରିଲାଣି। ଆଗକୁ ଏହାର ଭୟଙ୍କର ପ୍ରଭାବ ଅନ୍ୟାନ୍ୟ କ୍ଷେତ୍ର ଉପରେ ପଡ଼ିବା ଥୟ। ଯଦି ଭାରତର ଘରୋଇ ଆର୍ଥିକ ସମସ୍ୟାକୁ ଦେଖାଯାଏ, ନଭେମ୍ବର ୨୦୧୬ ବିମୁଦ୍ରୀକରଣ ଓ ୨୦୧୭ ଜୁଲାଇରୁ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗୁ ହେବା ପରଠାରୁ କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପଗୁଡ଼ିକ ଉପରକୁ ଉଠିପାରି ନାହାନ୍ତି। ଯେଉଁ କେତୋଟି ମୁଣ୍ଡ ଟେକୁଥିଲେ ସେଗୁଡ଼ିକ ଟ୍ରମ୍ପ୍‌ ଟାରିଫ୍‌ରେ ଭୂପତିତ।
ଭାରତର ନେତୃତ୍ୱ ବିଶ୍ୱ ବହିର୍ବ୍ୟାପାର ଓ ବାଣିଜି୍ୟକ ନୀତିକୁ ଖୁବ୍‌ ହାଲୁକା ଭାବେ ଦେଖିବାରୁ ଆଜି ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ଜର୍ମାନୀର ଏକ ଖବରକାଗଜ ଅନୁଯାୟୀ ନିକଟରେ ଟ୍ରମ୍ପ୍‌ଙ୍କ ୪ ଥର ଫୋନ୍‌ କଲ୍‌କୁ କାଳେ ମୋଦି ଉଠାଇ ନ ଥିଲେ। ଘଟଣା ସତ୍ୟ ହୋଇଥିଲେ ସାଂଘାତିକ। ବିଶ୍ୱବାସୀ ଜାଣିଛନ୍ତି ଟ୍ରମ୍ପ୍‌ ଜଣେ ଏକଜିଦିଆ ନେତା। ତାଙ୍କୁ ଯିଏ ଅମାନ୍ୟ କରିବେ ତାଙ୍କ ପ୍ରତି ପ୍ରତିଶୋଧପରାୟଣ ହେବା ଥୟ। ମୋଦିଙ୍କ ସହ ଟାରିଫ୍‌ ପ୍ରସଙ୍ଗରେ କଥା ହେବାକୁ ଆଶା ରଖି ଯଦି ସେ ଫୋନ୍‌ କରିଥିବେ ଓ ତାହା ସମ୍ଭବ ନ ହେବାରୁ ସ୍ଥିତି ବିଗିଡ଼ି ଯାଇଥିବା ଅନୁମାନ କରାଯାଇପାରେ। ଗୋଟେ ବଡ଼ ଆର୍ଥିକ ବିଶ୍ୱଶକ୍ତିକୁ କିଭଳି କୌଶଳକ୍ରମେ ପରିଚାଳନା କରିବା ହେବା କଥା ଭାରତର କୂଟନୀତି। ସେଥିରେ ବିଫଳ ହେବା ପରେ ଏବେ ଅନ୍ୟଆଡ଼େ ଥୋପ ପକାଇଲେ ହୁଏତ ତାହା ଖୁବ୍‌ଶୀଘ୍ର ଫଳ ଦେବ ବୋଲି କହି ହେବ ନାହିଁ। ବିଶେଷକରି ଚାଇନା ସହିତ କୌଣସି ପ୍ରକାର ବନ୍ଧୁତ୍ୱ ସୃଷ୍ଟି କରିବା ଭାରତ ପାଇଁ ନିଶ୍ଚିତ ଭାବେ କ୍ଷତିକାରକ ହେବ। ଓଡ଼ିଆରେ ଢଗ ଅଛି-‘ମହରଗରୁ ଯାଇ କାନ୍ତାରରେ ପଡ଼ିବା’। ଭାରତର ଅବସ୍ଥା ବର୍ତ୍ତମାନ ସେଇଆ।


Enter your email to get our daily news in your inbox.

All Right Reserved By Dharitri.Com

ତଦନ୍ତର ରିଆଲିଟି ଶୋ

ପ୍ରାତଃ ଭ୍ରମଣ ପାଇଁ ମୁଁ ମୋ ଘର ପାଖ ଏକ ପାର୍କକୁ ପ୍ରତିଦିନ ଯାଏ। ପାର୍କରେ ଡ୍ୟୁଟି କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ ଦିନେ ମୋ ନିକଟକୁ…

ଆଉ ଚାରା ନାହିଁ

ଓଡ଼ିଆରେ କଥା ଅଛି ‘ଆଉ ଚାରା ନାହିଁ’। ଅର୍ଥାତ୍‌ ଆଉ କିଛି ଉପାୟ ନ ଥିଲେ ବାଧ୍ୟ ହେବା ସ୍ଥିତିକୁ ଲକ୍ଷ୍ୟ କରାଯାଇ ଏଭଳି କୁହାଯାଇଥାଏ। ଗୋଟିଏ…

ଆଜି ୮ ଘଣ୍ଟିଆ ଓଡ଼ିଶା ବନ୍ଦ, ୩୦ ଜିଲାରେ ବନ୍ଦ ରହିବ…

ଭୁବନେଶ୍ୱର,୨୮ା୧(ସୁନିତ୍‌ ମିଶ୍ର): ରାଜ୍ୟରେ ଧାନମଣ୍ଡି ଖୋଲିବା ଏବଂ ଧାନ ବିକ୍ରିରେ ଅବ୍ୟବସ୍ଥା କାରଣରୁ ଚାଷୀମାନେ ବହୁ ହଇରାଣ ହେଉଛନ୍ତି। ପ୍ରଦୂଷଣ ସାର୍ଟିଫିକେଟ ନାଁରେ ସାଧାରଣ ଲୋକମାନଙ୍କଠାରୁ ସରକାର…

ଅଡୁଆରେ କର୍ଣ୍ଣାଟକ ସରକାର: ୬,୦୦୦ କୋଟିର ମଦ ଦୁର୍ନୀତି ଅଭିଯୋଗ

ନୂଆଦିଲ୍ଲୀ,୨୭।୧: କର୍ଣ୍ଣାଟକର କଂଗ୍ରେସ ସରକାର ଏକ ବଡ଼ ଧରଣର ଦୁର୍ନୀତି ଅଭିଯୋଗର ଘେରକୁ ଆସିଛନ୍ତି। ରାଜ୍ୟ ଅବକାରୀ ବିଭାଗରେ ଗତ ଦୁଇ ବର୍ଷ ମଧ୍ୟରେ ପ୍ରାୟ ୬,୦୦୦…

ଭାରତ-EU ମୁକ୍ତ ବାଣିଜ୍ୟ ଚୁକ୍ତି: କେଉଁ ରାଜ୍ୟକୁ ମିଳିବ କେତେ ଫାଇଦା? ଜାଣନ୍ତୁ

ନୂଆଦିଲ୍ଲୀ,୨୭।୧: ଭାରତ ଏବଂ ୟୁରୋପୀୟ ସଂଘ (EU) ମଧ୍ୟରେ ସ୍ୱାକ୍ଷରିତ ହୋଇଛି ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି (FTA)। ଏହି ଚୁକ୍ତି ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଏକ…

ବଦଳିବ କ୍ୟାପିଟାଲ ହସ୍ପିଟାଲର କାୟାକଳ୍ପ: ୪୦କୁ ବୃଦ୍ଧି ପାଇବ ଆଇସିୟୁ ଶଯ୍ୟା ସଂଖ୍ୟା

ଭୁବନେଶ୍ୱର,୨୭।୧: ରାଜଧାନୀବାସୀଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲର ଭିତ୍ତିଭୂମି ଓ ସ୍ୱାସ୍ଥ୍ୟସେବାରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ମଙ୍ଗଳବାର ଅନୁଷ୍ଠିତ ରୋଗୀ…

ଆଉ ଶୁଭିବନି ଅରିଜିତଙ୍କ ସ୍ୱର: ଅବସର ଘୋଷଣା କରି ସମସ୍ତଙ୍କୁ ଚମକାଇଲେ

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ପ୍ଲେବ୍ୟାକ୍ ଗାୟକ ଅରିଜିତ୍ ସିଂ ମଙ୍ଗଳବାର ଏକ ବଡ଼ ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ସେ ଚଳଚ୍ଚିତ୍ର ପାଇଁ କଣ୍ଠଦାନ ବା…

ପ୍ରତିଶ୍ରୁତି ପାଳନ କରୁନି ଉତ୍କଳ ଆଲୁମିନା: ୦.୦୧% ଶେୟାର ଦାବିରେ ବିସ୍ଥାପିତ, ପ୍ରଭାବିତଙ୍କ ଧାରଣା

ରାୟଗଡ଼ା/ଟିକିରି,୨୭।୧(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା)- ବକ୍ସାଇଟ ଖଣି ପାଇଁ ରାୟଗଡ଼ା ଜିଲାର କାଶୀପୁର ବ୍ଲକ ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବ୍ଲକ୍‌ରେ ରହିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri