Categories: ଜାତୀୟ

ସଂସଦରୁ ରାଜରାସ୍ତା: ୩ ଅଧ୍ୟାଦେଶ ବିରୋଧରେ ଅନ୍ନଦାତାଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ, ୧୬।୯: ସଂସଦରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ଅନ୍ନଦାତାମାନେ ପ୍ରଦର୍ଶନ ଜାରି ରଖିଛନ୍ତି। ୩ ଅଧ୍ୟାଦେଶକୁ ବିରୋଧ କରି ହରିୟାଣା, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନ ଆଦି ୪ ରାଜ୍ୟର ଚାଷୀମାନେ ପ୍ରଦର୍ଶନ କରୁଛନ୍ତି। ଭାରତୀୟ କିଷାନ ୟୁନିୟନ(ଭିକେୟୁ) ପକ୍ଷରୁ ସରକାରଙ୍କ ଅଧ୍ୟାଦେଶକୁ ବିରୋଧ କରାଯାଉଛି। ଅନ୍ନଦାତାଙ୍କ ପିଠିରେ ସରକାରୀ ଛାଟକୁ ବିରୋଧ କରି ଭିକେୟୁ ରାଜରାସ୍ତାକୁ ଓହ୍ଲାଇଛି। ଉତ୍ପାଦ ବ୍ୟାପାର ଏବଂ ବାଣିଜ୍ୟ ଆଧ୍ୟାଦେଶ, ଆବଶ୍ୟକ ବସ୍ତୁ ସଂଶୋଧିତ ଅଧ୍ୟାଦେଶ ଏବଂ ସଶକ୍ତିକରଣ ଓ ସଂରକ୍ଷଣ ଅନ୍ତର୍ଗତ କୃଷି ସେବା ବୁଝାମଣା ଅଧ୍ୟାଦେଶକୁ ବିରୋଧ କରାଯାଉଥିବା ଭିକେୟୁ ନେତା ଗୁରନାମ୍‌ ସିଂ କହିଛନ୍ତି। ସରକାର ଜାଣିଶୁଣି ଅନ୍ନଦାତାଙ୍କ ପେଟରେ ଲାତ ମାରୁଥିବା ସେ କହିଛନ୍ତି। ସରକାର ଏସବୁ ଅଧ୍ୟାଦେଶକୁ ସଂସଦରେ ପାରିତ କରାଇବା ଲାଗି ଉଦ୍ୟମ କରୁଛନ୍ତି। ଏହାଦ୍ୱାରା ଚାଷୀଙ୍କର ବହୁ କ୍ଷତି ହେବ ବୋଲି ଗୁରନାମ୍‌ କହିଛନ୍ତି। ସଂସଦରେ ଏସବୁ ଅଧ୍ୟାଦେଶକୁ ବିରୋଧ ଦଳଙ୍କ ପକ୍ଷରୁ ମଧ୍ୟ ବିରୋଧ କରାଯାଉଛି। ଏସମ୍ପର୍କରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା କହିଛନ୍ତି ଯେ, କଂଗ୍ରେସ ପୂର୍ବରୁ ଏହି କୃଷି ବିଲ୍‌କୁ ସମର୍ଥନ କରୁଥିଲା। ମାତ୍ର ରାଜନୈତିକ ପାଇଦା ପାଇଁ ଏବେ ଏହାକୁ ବିରୋଧ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କ ଆର୍ଥିକ ବିକାଶ ପାଇଁ ଏଭଳି କରୁଥିବାବେଳେ କଂଗ୍ରେସ ଜାଣିଶୁଣି ବାଧା ସୃଷ୍ଟି କରୁଥିବା ନଡ୍ଡା ଅଭିଯୋଗ କରିଛନ୍ତି।

Share