Categories: ଜାତୀୟ

୨୦୨୨ ଇସ୍ରୋ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ

ନୂଆଦିଲ୍ଲୀ, ୨୭ା୧୨: କୋଭିଡ୍‌ର ନୂଆ ଭାରିଆଣ୍ଟ ସଂକ୍ରମଣ ବୃଦ୍ଧି ମଧ୍ୟରେ ୨୦୨୧ ଶେଷ ହେବାକୁ ଥିବାବେଳେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ନୂଆବର୍ଷରେ ଏକାଧିକ ବଡ଼ ମିଶନକୁ ଆଗେଇ ନେବାକୁ ଯୋଜନା କରିଛି।

୨୦୨୧ରେ କରୋନା କଟକଣା ଯୋଗୁ ଅନେକ ମିଶନ ବିଳମ୍ବ ହୋଇଥିବା ବେଳେ ସେଗୁଡ଼ିକୁ ଗତି ଦେବାକୁ ଇସ୍ରୋ ଲକ୍ଷ୍ୟ ରଖିଛି। ବଡ଼ ମିଶନ ମଧ୍ୟରେ ରହିଛି ଗଗନୟାନ। ଭାରତର ଏହି ଉଚ୍ଚାଭିଳାଷୀ ସ୍ପେସ୍‌ ମିଶନରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ମହାକାଶଯାନରେ ଭାରତୀୟ ମହାକାଶଚାରୀଙ୍କ ପ୍ରଥମ ବ୍ୟାଚ୍‌କୁ ସ୍ପେସ୍‌କୁ ପଠାଯିବ। ୨୦୨୨ ମଧ୍ୟଭାଗ ବେଳକୁ କ୍ରିଉ ଏସ୍‌କେପ୍‌ ସିଷ୍ଟମ ଏବଂ ଗଗନୟାନର ପ୍ରଥମ ମାନବରହିତ ମିଶନ ପ୍ରଦର୍ଶନର ଯାଞ୍ଚ ପାଇଁ ଇସ୍ରୋ ପରୀକ୍ଷଣ ଯାନ ଉଡ଼ାଣ ସଞ୍ଚାଳନ କରିବ। ୨୦୨୨ ଶେଷ ସୁଦ୍ଧା ଦ୍ୱିତୀୟ ମାନବରହିତ ମିଶନ ଶେଷ ହେବ। ଏହା ପରେ ଭାରତୀୟ ବାୟୁସେନା ଅଧିକାରୀଙ୍କୁ ମହାକାଶ ପଠାଇବା ନିମନ୍ତେ ତାଲିମ ଦିଆଯିବ। ମିଶନରେ ୪ ଅଧିକାରୀଙ୍କୁ ଚୟନ କରାଯାଇସାରିଛି। ଏହି ମିଶନ ସଫଳ ହେଲେ ଇସ୍ରୋ ପୃଥିବୀ କକ୍ଷପଥକୁ ଲୋକଙ୍କୁ ନେଇ ମହାକାଶ ପରିଭ୍ରମଣ କରାଇପାରିବ। ଏହା ବ୍ୟତୀତ ଇସ୍ରୋ ୨୦୨୧ରୁ ୨୦୨୩ ମଧ୍ୟରେ ଉପଗ୍ରହ ପ୍ରେରଣ ପାଇଁ ୪ ଦେଶ ସହ ଚୁକ୍ତି କରିଛି।

Share