ବିକାଶ ଠାରୁ ଦୂରରେ ବିଲେଇସାହି

ବଇଣ୍ଡା,୧୩।୩(ପରିକ୍ଷିତ ସାହୁ): ଗ୍ରାମାଞ୍ଚଳର ସହରୀକରଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ପାଇପ୍‌ ପାଣି, ପକ୍କା ରାସ୍ତା, ନଦୀ ଓ ନାଳ ଉପରେ ପୋଲ ନିର୍ମାଣ ଦିଗରେ ଧ୍ୟାନ ଦେଉଛନ୍ତି। ହେଲେ କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ ଠାରୁ ମାତ୍ର ୧ କିଲୋମିଟର ଦୂରରେ ଥିବା ଅନୁଗୋଳ ଜିଲା କିଶୋରନଗର ବ୍ଲକ ନାକିଚି ପଞ୍ଚାୟତର ବିଲେଇସାହି ଗ୍ରାମବାସୀଙ୍କୁ ଏଯାଏ ସେହି ସହରୀକରଣର ସ୍ବାଦ ମିଳିପାରି ନାହିଁ। ଏପରି କି ବାରମ୍ବାର ସରକାରଙ୍କ ଧ୍ୟାନ ଆକର୍ଷଣ ସତ୍ତ୍ୱେ ଗଁାକୁ ରାସ୍ତା ନିର୍ମାଣ ହେଉଛି ନା ନାଳ ଉପରେ ପୋଲଟିଏ କରାଯାଉଛି। ଫଳରେ ଦୀର୍ଘବର୍ଷ ଧରି ବିକାଶ ଠାରୁ ଦୂରରେ ରହି ଆସିଥିବା ଏହି ଗ୍ରାମବାସୀ ଏବେ ସରକାରଙ୍କୁ ଚରମବାଣୀ ଶୁଣାଇଛନ୍ତି। ରାସ୍ତା, ବ୍ରିଜ୍‌ ନ ହେଲେ ଆସନ୍ତା ନିର୍ବାଚନରେ ଭୋଟ ଦେବେନି ବୋଲି ବ୍ୟାନର ମାରି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଜିଲାପାଳଙ୍କୁ ମଧ୍ୟ ଅବଗତ କରାଇଛନ୍ତି।
ଗ୍ରାମବାସୀ କହିଛନ୍ତି, ନାକିଚି ପଞ୍ଚାୟତର ୪ ନମ୍ବର ୱାର୍ଡରେ ଥିବା ବିଲେଇସାହିରୁ ୫୫ ନମ୍ବର ଜାତୀୟ ରାଜପଥ ଯାଏ ଏକ ମାଟି ରାସ୍ତା ଲମ୍ବିଛି। ସାହିରେ ରହୁଥିବା ୪୦ ପରିବାରଙ୍କ ଗମନାଗମନର ଏହା ହିିଁ ଏକମାତ୍ର ମାଧ୍ୟମ। ହେଲେ ଉକ୍ତ ରାସ୍ତାକୁ ଏଯାଏ ପକ୍କା କିମ୍ବା ପିଚୁ କରାଯାଉ ନାହିଁ। ଫଳରେ ଗାଁ ମଧ୍ୟକୁ ଜରୁରୀ ସମୟରେ ଆମ୍ବୁଲାନ୍ସ କିମ୍ବା ଦମକଳ ଯାଇପାରୁ ନାହିଁ। ବର୍ଷା ଦିନେ ରାସ୍ତା ଅତ୍ୟନ୍ତ କାଦୁଅପୂର୍ଣ୍ଣ ହୋଇଯାଉଥିବାରୁ ଯାତାୟାତ କରିବା କଷ୍ଟକର ହୋଇପଡ଼ୁଛି। ଦୀର୍ଘବର୍ଷ ଧରି ଲୋକେ ଏପରି ଅବ୍ୟବସ୍ଥାର ସମ୍ମୁଖୀନ ହେଉଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉ ନାହିଁ। ସେହିପରି ଉକ୍ତ ରାସ୍ତାରେ ପଡ଼ୁଥିବା ଏକ ନାଳ ଉପରେ ପୋଲ ନିର୍ମାଣ କରାଯାଉ ନାହିଁ। ଗାଁର କେହି ରୋଗରେ ପଡ଼ିଲେ ତାଙ୍କୁ ଖଟିଆରେ ବୋହି ନାଳ ପାରି କରିବାକୁ ପଡ଼ୁଛି। ରାଜପଥ ପାର୍ଶ୍ୱରେ ଥିବା ଏହି ଗାଁ ପ୍ରତି ସରକାରୀ ଅବହେଳା ସୀମା ଟପିଯାଇଛି। ଏ ନେଇ ୧୫ ଫେବୃଆରୀ ୨୦୧୨, ୨ ଜୁନ ୨୦୧୬, ୩ ଅଗଷ୍ଟ ୨୦୨୨ରେ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି କିଶୋରନଗର ବିଡିଓ, ଆଠମଲ୍ଲିକ ବିଧାୟକ, ସମ୍ବଲପୁର ଏମ୍‌ପିଙ୍କୁ ଅଭିଯୋଗ କରାଯାଇଥିଲା। ମାତ୍ର କୌଣସି ପଦକ୍ଷେପ ନିଆଯାଇ ନାହିଁ। ତେଣୁ ସରକାରୀ ଅବହେଳାର ଶିକାର ଏହି ଗ୍ରାମବାସୀ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବା ପାଇଁ ନିଷ୍ପତ୍ତି କରିଛନ୍ତି। ହୋର୍ଡିଂ ମାଧ୍ୟମରେ ସେମାନେ ସରକାରଙ୍କୁ ଚେତାବନୀ ଦେବା ସହ ଜିଲାପାଳଙ୍କୁ ମଧ୍ୟ ଅବଗତ କରାଇଛନ୍ତି। ବିଲେଇସାହିର ଏହି ସମସ୍ୟା ସମ୍ପର୍କରେ କିଶୋରନଗର ବିଡିଓ ବିନୋଦ ବିହାରୀ ବେହେରାଙ୍କ ଯୋଗାଯୋଗ କରାଯାଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇ ନ ଥିଲେ।