ଜୁସ୍‌ ଦୋକାନରୁ ଭଜନ ସମ୍ରାଟ୍‌ ହେବାର ଯାତ୍ରା

ବଲିଉଡ୍‌ରେ ଭଜନ ସମ୍ରାଟ ଭାବରେ ଜଣାଶୁଣା ଗୁଲଶନ କୁମାରଙ୍କର ଆଜି ଜନ୍ମବାର୍ଷିକୀ। ତାଙ୍କ ଭଜନ ଶୁଣି ଶ୍ରୋତାମାନେ ଆଜି ବି ମନ୍ତ୍ରମୁଗ୍ଧ ହୋଇପଡନ୍ତି। ବଲିଉଡରେ ଗୁଲଶାନ କୁମାରଙ୍କ ନାମ ଏବେ ବି ସମ୍ମାନର ସହ ନିଆଯାଏ। ସେ ଏପରି ଜଣେ ବ୍ୟକ୍ତି ଥିଲେ, ଯିଏ ନିଜ ପରିଶ୍ରମ ମାଧ୍ୟମରେ ଅଳ୍ପ ସମୟରେ ବହୁତ ସଫଳତା ହାସଲ କରିଥିଲେ। ଯଦିଓ ଗୁଲଶନ କୁମାର ନାହାଁନ୍ତି, ତଥାପି ତାଙ୍କ ଭଜନ ଏବଂ ତାଙ୍କ ଦ୍ୱାରା ପ୍ରତିଷ୍ଠିତ କମ୍ପାନୀ ଟି-ସିରିଜ ଏବେ ଲୋକପ୍ରିୟତାର ଶୀର୍ଷରେ ଅଛି। ଗୁଲଶନ କୁମାରଙ୍କ କ୍ୟାରିଅରରେ ସଫଳତାର ଯାତ୍ରା ମଧ୍ୟ ଏକ ଫିଲ୍ମ କାହାଣୀଠାରୁ କମ ନ ଥିଲା।
ଗୁଲଶାନ କୁମାରଙ୍କ ସମ୍ପୂର୍ଣ୍ଣ ନାମ ଥିଲା ଗୁଲଶାନ କୁମାର ଦୁଆ। ସେ ଦିଲ୍ଲୀରେ ଏକ ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଚନ୍ଦ୍ରଭାନ ଦୁଆ ଦରିଆଗଞ୍ଜରେ ଏକ ଜୁସ ଦୋକାନ କରିଥିଲେ। ଏଥିରେ ଗୁଲଶନ ମଧ୍ୟ ତାଙ୍କ ପିତାଙ୍କୁ ସାହାଯ୍ୟ କରୁଥିଲେ। ଏଠାରୁ ସେ ନିଜର ଏକ ବ୍ୟବସାୟ କରିବାକୁ ଚିନ୍ତା କଲେ। ସେ ଦିଲ୍ଲୀରେ ଏକ କ୍ୟାସେଟ ଦୋକାନ ଖୋଲିଥିଲେ।
ଏହି ସମୟରେ ଟି-ସିରିଜ୍‌ ନାମକ କମ୍ପାନୀ ଆରମ୍ଭ କରି ମୁମ୍ବାଇ ପଳାଇ ଥିଲେ। ଗୁଲଶନ କୁମାର ମଧ୍ୟ ଜଣେ ଭଲ ଗାୟକ ଥିଲେ। ସେ ନିଜର ଭଜନ ସହିତ ଖ୍ୟାତି ଅର୍ଜନ କରିବାକୁ ଲାଗିଲେ। ତାଙ୍କର ଭଜନ ଲୋକମାନଙ୍କ ହୃଦୟକୁ ସ୍ପର୍ଶ କଲା। ସେ ନିଜ ଅର୍ଜିତ ଅର୍ଥରେ ସାମାଜିକ ସେବା ମଧ୍ୟ କରୁଥିଲେ। ସେ ମାତା ବୈଷ୍ଣୋ ଦେବୀଙ୍କ ଠାରେ ଏକ ଖାଦ୍ୟ ଭଣ୍ଡାର ପ୍ରତିଷ୍ଠା କରିଥିଲେ। ଏହି ଭଣ୍ଡାରରେ ତୀର୍ଥଯାତ୍ରୀମାନଙ୍କ ପାଇଁ ମାଗଣା ଖାଦ୍ୟ ସର୍ବଦା ଉପଲବ୍ଧ ଥାଏ। ଏହିି ଖାଦ୍ୟ ଭଣ୍ଡାର ଏବେ ମଧ୍ୟ ଚାଲିଛି।
କୁହାଯାଏ ଯେ, ଯେତେବେଳେ ଜଣେ ଜୀବନରେ ଉଚ୍ଚ ଶିଖରରେ ପହଞ୍ଚେ, ସେତେବେଳେ ତାଙ୍କର ଅଧିକ ଶତ୍ରୁ ହୋଇଯାନ୍ତି। ଗୁଲଶନ କୁମାରଙ୍କ ସହ ସମାନ ଘଟଣା ଘଟିଥିଲା। ୧୯୯୭, ଅଗଷ୍ଟ ୧୨ରେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି ମାରି ହତ୍ୟା କରିଥିଲେ।
ଗୁଲଶନ କୁମାରଙ୍କ ଦ୍ୱାରା ପ୍ରତିଷ୍ଠିତ କମ୍ପାନୀ ଟି-ସିରିଜ୍‌ କେବଳ ବଲିଉଡକୁ ହିଟ ଗୀତ ଦେଇନାହିଁ ବରଂ ଏହାର ବ୍ୟାନରରେ ଅନେକ ଗାୟିକା/ଗାୟକ ମଧ୍ୟ ଲଞ୍ଚ କରିଛି। ସୋନୁ ନିଗମ ଏବଂ ଅନୁରାଧା ପଡୱାଲଙ୍କ ପରି ପ୍ରସିଦ୍ଧ ଗାୟକଙ୍କ ନାମ ମଧ୍ୟ ସାମିଲ ଅଛି। ଆଜି ତାଙ୍କ କମ୍ପାନୀ ପୁଅ ଭୂଷଣ କୁମାର ଏବଂ ଝିଅ ତୁଳସୀ ପରିଚାଳନା କରୁଛନ୍ତି।

 

Share