Categories: ଜାତୀୟ

ପିଲାଦିନର ପ୍ରେମକୁ ପାଇବା ପାଇଁ ୪ ଥର ଘର ଛାଡ଼ିଥିଲେ ପ୍ରେମିକା, ଶେଷରେ ଥାନାରେ ହେଲା ବିବାହ

ପାଟଣା,୨୪ା୭: ବିହାରର ରୋହତାସ ଜିଲା ଡେହରିସ୍ଥିତ ମହିଳା ଥାନାରେ ଏକ ପ୍ରେମୀଯୁଗଳଙ୍କ ବିବାହ ସମ୍ପନ୍ନ ହୋଇଛି। ଏହି ବିବାହ ଥାନାଧିକାରୀଙ୍କ ଉପସ୍ଥିତିରେ ହୋଇଛି। ପଣ୍ଡିତ ମନ୍ତ୍ର ଉଚ୍ଚାରଣ କରିଥିଲେ ଏବଂ ଦୁହେଁ ଦୁହିଁଙ୍କୁ ବରଣମାଳା ପିନ୍ଧାଇଥିଲେ। ଶେଷରେ ପ୍ରେମିକ ପ୍ରେମିକାଙ୍କ ମଥାରେ ସିନ୍ଦୂର ଦେଇ କନ୍ୟା ଭାବରେ ଗ୍ରହଣ କରିଥିଲେ।

ମହିଳା ଥାନାଧିକାରୀ ମାଧୁରୀ କୁମାର କହିଛନ୍ତି, ଟଣ୍ଡଓ୍ବା ଗାଁର ଅଭୟକାନ୍ତ ଏବଂ ପଡୁହାର ଗାଁର ପ୍ରିୟଙ୍କାଙ୍କ ମଧ୍ୟରେ କିଛି ବର୍ଷ ଧରି ପ୍ରେମସମ୍ପର୍କ ଥିଲା। ମାତ୍ର ପରିବାର ଲୋକେ ଏହି ପ୍ରେମକୁ ବିରୋଧ କରୁଥିଲେ। ଏହାକୁ ନେଇ ପ୍ରିୟଙ୍କା ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ଅଭୟକାନ୍ତଙ୍କୁ ଥାନାକୁ ଡକାଯାଇଥିଲା। ଅଭୟକାନ୍ତ ଏହି ବିବାହରେ ସହମତି ପ୍ରକାଶ କରିଥିଲେ। ତେଣୁ ଦୁଇଜଣଙ୍କ ସହମତିରେ ଥାନା ପରିସରରେ ଏହି ବିବାହ ସମ୍ପନ୍ନ ହୋଇଥିଲା। ହିନ୍ଦୁ ରୀତିନୀତି ଅନୁଯାୟୀ ଏହି ବିବାହ କରାଯାଇଥିଲା। ବିବାହରେ ପ୍ରେମିକଙ୍କ ଭାଇ ଏବଂ ପ୍ରେମିକାଙ୍କ ଭାଇ ମଧ୍ୟ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ପ୍ରିୟଙ୍କା ଏବଂ ଅଭୟକାନ୍ତଙ୍କ ମଧ୍ୟରେ ୮ ବର୍ଷ ଧରି ପ୍ରେମସମ୍ପର୍କ ଥିଲା। ଘରେ ବାହାଘର ପାଇଁ ରାଜି ହେଉ ନ ଥିବାରୁ ଏହା ପୂର୍ବରୁ ପ୍ରିୟଙ୍କା ୪ ଥର ଘରୁ ଲୁଚି ପଳାଇ ଆସିଛନ୍ତି। ମାତ୍ର ଏଥିରେ ସଫଳ ହୋଇ ନ ଥିଲେ। ଶେଷଥର ସେ ଥାନାର ଦ୍ୱାରସ୍ଥ ହୋଇଥିଲେ। ଥାନାଧିକାରୀ ଉଭୟଙ୍କୁ ବୁଝାଶୁଝା କରି ଏହି ବିବାହ କରାଇଥିଲେ। ଏବେ ଦୁହେଁ ଏହି ବିବାହରେ ବହୁତ ଖୁସି ଥିବା କହିଛନ୍ତି।

Share