ଭାକ୍ସିନ୍‌ ନେଲେ ମିଳୁଛି ଫ୍ରିଜ୍‌ ସହିତ ଅନ୍ୟ ଦାମିକା ଉପହାର…

ଇନ୍ଦୋର,୨୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦେଶର ସ୍ବଚ୍ଛ ସହର ତାଲିକାରେ ଶୀର୍ଷରେ ଥିବା ଇନ୍ଦୋରରେ ଲୋକଙ୍କୁ ଆକୃଷ୍ଟ କରିବା ଲାଗି ଭାକ୍ସିନ୍‌ ନେଲେ ଉପହାର ପ୍ରଦାନ କରାଯାଉଛି। ସହରର ବିଭିନ୍ନ ପ୍ରତିଷ୍ଠିତ ବ୍ୟବସାୟୀ ତଥା କମ୍ପାନୀ ପକ୍ଷରୁ ଏଭଳି ଲୋଭନୀୟ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଭାକ୍ସିନ୍‌ ନେଲେ ଉପହାରରେ ଫ୍ରିଜ୍‌ ସହିତ ବହୁ ଦାମିକା ଉପହାର ପ୍ରଦାନ କରାଯାଉଛି। କେତେକ ଟିକାକରଣ କେନ୍ଦ୍ରରେ ଲକି ଡ୍ର ଅନୁଷ୍ଠିତ ହେଉଛି। ଟିକା ନେବାକୁ ଆସିଥିବା ଲୋକଙ୍କୁ ଅତିଥି ଭାବେ ପାଛୋଟି ନେଇ ସମ୍ମାନୀତ କରାଯିବା ସହିତ ଲସି, କୋଲ୍ଡ ଡ୍ରିଙ୍କସ୍‌ ଏବଂ ଅନ୍ୟ ପାନୀୟ ପ୍ରଦାନ କରାଯାଉଛି। ସେହିପରି ନଓ୍ବଲଖା ଟିକାରକରଣ କେନ୍ଦ୍ରରେ ଭାକ୍ସିନ୍‌ ନେଇଥିବା ଲୋକଙ୍କୁ ଥରଟିଏ ମାଗଣା ବସ୍‌ ଯାତ୍ରାର ସୁଯୋଗ ମିଳୁଛି।  ଶପିଂ ମଲ୍‌ରେ କରାଯାଇଥିବା ଟିକାକରଣ କେନ୍ଦ୍ରରେ ସେଲ୍‌ଫି ଷ୍ଟିକ୍‌ ସମେତ ଅନ୍ୟ ଉପହାର ପ୍ରଦାନ କରାଯାଉଛି। ଭାକ୍ସିନ୍‌ ନେବାକୁ ଲୋକଙ୍କୁ ଆକୃଷ୍ଟ କରିବା ଲାଗି ଏଭଳି କରାଯାଉଛି।

Share