ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି ଫ୍ରିଜରେ ଆବଶ୍ୟକତାଠାରୁ ଅଧିକ ବରଫ ଜମିବା। ବିଶେଷ କରି ଫ୍ରିଜରର (Freezer) ଭିତରେ ବରଫର ମୋଟା ସ୍ତର ଜମିବା ଯୋଗୁ କୁଲିଂ ବା ଥଣ୍ଡା ପ୍ରକ୍ରିୟା ବାଧାପ୍ରାପ୍ତ ହୁଏ। ଏହାସହ ବିଦ୍ୟୁତ ବିଲ ମଧ୍ୟ ବଢ଼ିଯାଏ। ବିଶେଷଜ୍ଞଙ୍କ ମତରେ, କିଛି ସାଧାରଣ ଭୁଲ ଏବଂ ବୈଷୟିକ କାରଣ ଯୋଗୁ ଏହି ସମସ୍ୟା ଦେଖାଦେଇଥାଏ, ଯାହାକୁ ସମୟ ଥାଉ ଥାଉ ସୁଧାରି ନିଆଯାଇପାରିବ।

ବାରମ୍ବାର ଡୋର୍‌କୁ ଖୋଲିବା ହୋଇପାରେ ମୁଖ୍ୟ କାରଣ:
ଫ୍ରିଜରେ ଅଧିକ ବରଫ ଜମିବାର ସବୁଠାରୁ ବଡ଼ କାରଣ ହେଉଛି ଏହାର ଡୋର୍‌କୁ ବାରମ୍ବାର ଖୋଲିବା। ଯେତେବେଳେ ବି ଫ୍ରିଜ ଖୋଲାଯାଏ, ବାହାରର ଗରମ ଏବଂ ଆର୍ଦ୍ରତାଯୁକ୍ତ ପବନ ଭିତରକୁ ଚାଲିଯାଏ। ଏହି ଆର୍ଦ୍ରତା ଫ୍ରିଜରର ଥଣ୍ଡା ସ୍ପର୍ଶରେ ଆସି ବରଫରେ ପରିଣତ ହେବାକୁ ଲାଗେ। ଯଦି ଅଧିକ ସମୟ ଧରି କବାଟ ଖୋଲା ରହେ, ତେବେ ବରଫ ଶୀଘ୍ର ଜମିଯାଏ। ତେଣୁ ଆବଶ୍ୟକ ପଡ଼ିଲେ ହିଁ ଫ୍ରିଜ ଖୋଲନ୍ତୁ ଏବଂ କାମ ସରିବା ମାତ୍ରେ ତୁରନ୍ତ ବନ୍ଦ କରିଦିଅନ୍ତୁ।

ଖରାପ ରବର ଗ୍ୟାସ୍କେଟ ବଢ଼ାଇପାରେ ସମସ୍ୟା:
ଫ୍ରିଜ କବାଟରେ ଲାଗିଥିବା ରବର ସିଲ୍‌ ବା ଗ୍ୟାସ୍କେଟ (Gasket) ଯଦି ଢିଲା କିମ୍ବା ଖରାପ ହୋଇଯାଏ, ତେବେ ବାହାର ପବନ କ୍ରମାଗତ ଭାବେ ଭିତରକୁ ପ୍ରବେଶ କରିଥାଏ। ଏହାଦ୍ୱାରା ଫ୍ରିଜକୁ ନିଜର ତାପମାତ୍ରା ବଜାୟ ରଖିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼େ ଏବଂ ବରଫ ଜମିବା ଆରମ୍ଭ ହୁଏ। ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି ଯେ ସମୟ ସମୟରେ ଗ୍ୟାସ୍କେଟ ଯାଞ୍ଚ କରନ୍ତୁ। ଯଦି କବାଟ ଠିକ ଭାବେ ବନ୍ଦ ହେଉନାହିଁ, ତେବେ ଗ୍ୟାସ୍କେଟ ବଦଳାଇବା ସବୁଠାରୁ ଭଲ ଉପାୟ।

ଭୁଲ ତାପମାତ୍ରା ସେଟିଂ ମଧ୍ୟ ଦାୟୀ:
ଅନେକ ଲୋକ ଅଧିକ ଥଣ୍ଡା ପାଇବା ଆଶାରେ ଫ୍ରିଜର ତାପମାତ୍ରା (Temperature) ଅତି କମ କରିଦିଅନ୍ତି। ଏହାଦ୍ୱାରା ଫ୍ରିଜରରେ ଅତ୍ୟଧିକ କୁଲିଂ ହୁଏ ଏବଂ ବରଫର ମୋଟା ଆସ୍ତରଣ ଜମିଯାଏ। ସାଧାରଣତଃ ଫ୍ରିଜର ତାପମାତ୍ରା ୩ ରୁ ୫ ଡିଗ୍ରୀ ସେଲସିୟସ ଏବଂ ଫ୍ରିଜରର ତାପମାତ୍ରା ମାଇନସ ୧୮ ଡିଗ୍ରୀ ପାଖାପାଖି ରଖିବା ଉଚିତ ବୋଲି ଧରାଯାଏ।

ନିୟମିତ ଡିଫ୍ରଷ୍ଟିଂ ଜରୁରୀ:
ଯଦି ଆପଣଙ୍କ ଘରେ ଡାଇରେକ୍ଟ କୁଲ (Direct Cool) ଫ୍ରିଜ ଅଛି, ତେବେ ସମୟ ସମୟରେ ଏହାକୁ ଡିଫ୍ରଷ୍ଟ (Defrost) କରିବା ନିହାତି ଜରୁରୀ। ଦୀର୍ଘ ସମୟ ଧରି ବରଫ ଜମି ରହିବା ଯୋଗୁ ଫ୍ରିଜ ଭିତରେ ବାୟୁ ଚଳାଚଳ ବାଧାପ୍ରାପ୍ତ ହୁଏ ଏବଂ ଏହାର କାର୍ଯ୍ୟଦକ୍ଷତା ହ୍ରାସ ପାଇଥାଏ। ବିଶେଷଜ୍ଞଙ୍କ ଅନୁସାରେ, ମାସରେ ଅନ୍ତତଃ ପକ୍ଷେ ଥରେ ଫ୍ରିଜର ସଫେଇ ଏବଂ ଡିଫ୍ରଷ୍ଟିଂ କରିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିପାରିବ।

ବିଦ୍ୟୁତ ବିଲ ଉପରେ ପଡ଼େ ପ୍ରଭାବ:
ଫ୍ରିଜରେ ଅଧିକ ବରଫ ଜମିବା ଦ୍ୱାରା କେବଳ କୁଲିଂ ଖରାପ ହୁଏ ନାହିଁ, ବରଂ ଏହାର ସିଧାସଳଖ ପ୍ରଭାବ ବିଦ୍ୟୁତ ବିଲ ଉପରେ ପଡ଼ିଥାଏ। ବରଫର ମୋଟା ସ୍ତର ଯୋଗୁ କମ୍ପ୍ରେସରକୁ ଅଧିକ ସମୟ କାମ କରିବାକୁ ପଡ଼େ, ଯାହା ଦ୍ୱାରା ଅଧିକ ବିଦ୍ୟୁତ ଶକ୍ତି ଖର୍ଚ୍ଚ ହୁଏ। ଏଭଳି ପରିସ୍ଥିତିରେ, ଏହି ଛୋଟ ଛୋଟ ସାବଧାନତା ଅବଲମ୍ବନ କରି ଆପଣ ଫ୍ରିଜର ଆୟୁଷ ବଢ଼ାଇ ପାରିବେ ଏବଂ ଅନାବଶ୍ୟକ ଖର୍ଚ୍ଚରୁ ମଧ୍ୟ ବଞ୍ଚିପାରିବେ।

Share