ଫ୍ରାନ୍ସ ରାଷ୍ଟ୍ରପତିଙ୍କ ପୁରୁଣା ଭିଡିଓ ଭାଇରାଲ

ପ୍ୟାରିସ,୨୨ ।୧୧: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ସର୍ବସାଧାରଣରେ ଜଣେ ମହିଳା ଥାପଡ ମାରିଥିଲେ । ମେହର ନ୍ୟୁଜ ଏଜେନ୍ସି ଏକ ଭାଇରାଲ ଭିଡିଓ ଶେୟାର କରି ଏହି ସୂଚନା ଦେଇଛି । ହେଲେ ଏହି ଭିଡିଓଟି ବହୁ ପୁରୁଣା ବୋଲି କୁହାଯାଉଛି । ହେଲେ ଏହା ପ୍ରଥମଥର ନୁହେଁ ଯେ ଇମାନୁଏଲ ମାକ୍ରୋନକୁ କେହି ଥାପଡ ମାରୁଛି । ଏହା ପୂର୍ବରୁ ବି ଜଣେ ବ୍ୟକ୍ତି ଦକ୍ଷିଣ-ପୂର୍ବ ଫ୍ରାନ୍ସରେ ଯାତ୍ରା ସମୟରେ ସମସ୍ତଙ୍କ ସାମ୍ନାରେ ମାକ୍ରନଙ୍କୁ ଥାପଡ ମାରିଥିଲେ ।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓ କ୍ଲିପରେ କଥିତ ଭାବେ ହଳଦିଆ ରଙ୍ଗର ଟି-ସର୍ଟ ପିନ୍ଧିଥିବା ଜଣେ ମହିଳା ରାଷ୍ଟ୍ରପତିଙ୍କୁ ଚାପୁଡା ମାରୁଥିବା ଦେଖାଯାଇଛି । ଆଉ ଏହି ସମୟରେ ରାଷ୍ଟ୍ରପତି କେଉଁଆଡେ ଯାଉଥିବା ଦେଖାଯାଇଛି । ଭିଡିଓ କ୍ଲିପରେ କଥିତ ଘଟଣା ସମୟରେ ସେହିଠାରେ ଥିବା କେତେଜଣ ଖବରଦାତାଙ୍କୁ ବି ଦେଖିବାକୁ ମିଳିଛି । ମିଡିଆ ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତିଙ୍କ ସୁରକ୍ଷାକର୍ମୀ ତୁରନ୍ତ ମହିଳା ଜଣଙ୍କୁ ସେଠାରୁ ଭିଡି ନେଇ ଗିରଫ କରିଥିଲେ ଓ ତାଙ୍କୁ ଜେଲ ପଠାଇ ଦିଆଯାଇଥିଲା । ନ୍ୟୁଜ ଏଜେନ୍ସି ଏଏନଆଇ କହିଛି ଏହା ଏକ ପୁରୁଣା ଭିଡିଓ ଯାହାକୁ ପୁଣିଥରେ ପ୍ରସାରଣ କରାଯାଇଛି ।

Share