Categories: ଜାତୀୟ

ବିବାହରେ ପସନ୍ଦର ସ୍ବାଧୀନତା ଜରୁରୀ

ନୂଆଦିଲ୍ଲୀ,୨୬ା୧୦: ବିବାହରେ ପସନ୍ଦ କରିବା ସ୍ବାଧୀନତା ସମ୍ବିଧାନର ଅତି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଜୀବନ ସାଥୀ ବାଛିବା ସ୍ବାଧୀନତା ଉପରେ ଧର୍ମବିଶ୍ୱାସର ପ୍ରଶ୍ନର କୌଣସି ପ୍ରାସଙ୍ଗିକତା ନ ଥିବା ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ପରିବାର ସଦସ୍ୟଙ୍କ ସମେତ ଅନ୍ୟମାନଙ୍କଠାରୁ ବିପଦ ଥିବା ଉକ୍ତ ଦମ୍ପତିଙ୍କ ସୁରକ୍ଷା ଦିଗରେ ପୋଲିସ ତ୍ୱରିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆଶା କରାଯାଏ ବୋଲି ହାଇକୋର୍ଟ କହିଛନ୍ତି। ଯୁବତୀଙ୍କ ପରିବାରର ଇଚ୍ଛା ବିରୋଧରେ ତାଙ୍କୁ ବିବାହ କରିଥିବା ଅଭିଯୋଗକାରୀଙ୍କୁ ସ୍ତ୍ରୀ ଘର ଲୋକେ ତାଙ୍କୁ ଅପହରଣ କରିନେଇ ମାଡ଼ ମାରିବା ସହ ହତ୍ୟା ଉଦ୍ୟମ କରିଥିଲେ। ଉକ୍ତ ମାମଲାରେ ଅଭିଯୁକ୍ତମାନଙ୍କ ଜାମିନ ଆବେଦନର ଶୁଣାଣି ବେଳେ ହାଇକୋର୍ଟ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି। ଦମ୍ପତିଙ୍କ ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆ ନ ଯିବା ଦୁର୍ଭାଗ୍ୟଜନକ ବୋଲି ଅଦାଲତ ମତ ଦେଇଛନ୍ତି। ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଦିଲ୍ଲୀ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଭାରତର ସମ୍ବିଧାନର ଅନୁଚ୍ଛେଦ ୨୧ ଅନୁଯାୟୀ ବିବାହରେ ପସନ୍ଦ କରିବାର ସ୍ବାଧୀନତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଜଷ୍ଟିସ୍‌ ଅନୁପ କୁମାର ମେନ୍ଦିରତ୍ତା ରାୟରେ କହିଛନ୍ତି। ଯେତେବେଳେ କୌଣସି ବ୍ୟକ୍ତିଙ୍କ ଜୀବନ ଓ ସ୍ବାଧୀନତା କଥା ଉଠୁଛି, ବିଶେଷ କରି ଯେଉଁ ଦମ୍ପତି ସେମାନଙ୍କ ନିଜସ୍ବ ସ୍ବାଧୀନ ଇଚ୍ଛାରେ ଆଇନ ଅନୁଯାୟୀ ବିବାହ କରିଛନ୍ତି, ସେମାନଙ୍କ କ୍ଷେତ୍ରରେ ପୋଲିସ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ସହ ସୁରକ୍ଷା ସୁନିଶ୍ଚିତ କରିବା ଆଶା କରାଯାଏ ବୋଲି ଅଦାଲତ କହିଛନ୍ତି। ଅପରାଧର ଗୁରୁତ୍ୱକୁ ବିଚାରକୁ ନେଇ ସ୍ତ୍ରୀଙ୍କ ମାଆ ଏବଂ ଜେଜେମା’ଙ୍କୁ ଜାମିନ ପ୍ରଦାନ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି।

Share