ମିଳିବ ନିଃଶୁଳ୍କ ପ୍ରଶିକ୍ଷଣ

ଅନୁଗୋଳ ଅଫିସ, ୭।୧୨ ରାଜ୍ୟର ଶିକ୍ଷିତ ଯୁବତୀଯୁବକଙ୍କୁ ନିଃଶୁଳ୍କ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯିବ। ଇଲେକ୍ଟ୍ରିସିଆନ, ରାଜମିସ୍ତ୍ରି ଏବଂ ୱେଲ୍ଡର ଟ୍ରେଡ୍‌ରେ ଉଚ୍ଚମାନର ପ୍ରଶିକ୍ଷଣ ଦିଆଯିବା ପରେ ସେମାନେ ସ୍ବାବଲମ୍ବୀ ହୋଇପାରିବେ। ଏଭଳି ଉଦ୍ଦେଶ୍ୟ ନେଇ ସୋମବାର ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ଦ୍ୱାରା ପରିଚାଳିତ ଓପି ଜିନ୍ଦଲ କମ୍ୟୁନିଟି କଲେଜ (ଓପିଜେସିସି) ଅନୁଗୋଳ ଏବଂ ନାବାର୍ଡ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଚୁକ୍ତିନାମା ଅନୁଯାୟୀ, ଚଳିତବର୍ଷରୁ ଆସିଷ୍ଟାଣ୍ଟ ଇଲେକ୍ଟ୍ରିସିଆନ, ରାଜମିସ୍ତ୍ରି ଏବଂ ୱେଲ୍ଡର ବିଭାଗରେ ଯୋଗ୍ୟ ଆଶାୟୀଙ୍କୁ ତାଲିମ ପ୍ରଦାନ କରାଯିବ। ଏଥିରେ କୃତିତ୍ୱ ଅର୍ଜନ କରିଥିବା ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ମିଳିବ। କଲେଜଗୁଡ଼ିକରେ କ୍ୟାମ୍ପସ୍‌ ଚୟନ ଜରିଆରେ ବିଭିନ୍ନ କମ୍ପାନୀରେ ନିଯୁକ୍ତି ପ୍ରଦାନ କରାଯିବ। ପ୍ରଶିକ୍ଷଣ ଲାଗି ସର୍ବନିମ୍ନ ବୟସସୀମା ୧୮ ବର୍ଷ ଧାର୍ଯ୍ୟ କରାଯାଇଛି। ଆସିଷ୍ଟାଣ୍ଟ ଇଲେକ୍ଟ୍ରିସିଆନ ପାଇଁ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍‌ ପାସ୍‌ ରଖାଯାଇଥିବାବେଳେ ୱେଲ୍ଡର ଟ୍ରେଡ୍‌ ପାଇଁ ୮ମ, ରାଜମିସ୍ତ୍ରି ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ୫ମ ପାସ୍‌ ଧାର୍ଯ୍ୟ କରାଯାଇଥିବା ଓପିଜେସିସି ଅଧ୍ୟକ୍ଷ ସୂଚନା ପ୍ରଦାନ କରିଛନ୍ତି। ଅଧିକ ସୂଚନା ପାଇଁ ମୋବାଇଲ (ନଂ. ୭୩୮୯୯୧୦୭୮୮, ୯୯୩୮୨୫୦୩୨୮, ୯୩୪୮ ୨୬୦୨୫୬ ଏବଂ ୯୮୬୧୧୬୪୭୧୯) ଜାରି କରାଯାଇଛି। ଇଚ୍ଛୁକ ଛାତ୍ରୀଛାତ୍ରମାନେ ସୁଯୋଗର ଲାଭ ନେବାକୁ ନିବେଦନ କରାଯାଇଛି।