Categories: ଜାତୀୟ

ଦୀପାବଳି ସୁଦ୍ଧା ମୁକ୍ତ ବାଣିଜ୍ୟ ଚୁକ୍ତି

ନୂଆଦିଲ୍ଲୀ,୨୩।୪: ଦୀପାବଳି ସୁଦ୍ଧା ଭାରତ ଓ ବ୍ରିଟେନ ମଧ୍ୟରେ ବହୁପ୍ରତୀକ୍ଷିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫ୍‌ଟିଏ) ସ୍ବାକ୍ଷର ହେବାକୁ ଯାଉଛି। ଏହା ଦ୍ୱାରା ଚଳିତ ଦଶନ୍ଧି ଶେଷ ସୁଦ୍ଧା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ ହୋଇପାରିବ ବୋଲି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ କହିଛନ୍ତି। ଏଥିସହିତ ପ୍ରତିରକ୍ଷା ସହଯୋଗ ବୃଦ୍ଧି ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ବ୍ରିଟେନ ପ୍ରତିପକ୍ଷ ସହମତ ହୋଇଛନ୍ତି। ଦୁଇଦିନିଆ ଭାରତ ଗସ୍ତରେ ଆସିଥିବା ବୋରିସ୍‌ ଶୁକ୍ରବାର ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସ୍‌ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ଅବସରରେ ସେ ମୋଦିଙ୍କୁ ଖାସ୍‌ ଦୋସ୍ତ ବୋଲି କହିଛନ୍ତି। ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣରେ ଭାରତର ସ୍ଥିତିକୁ ନେଇ ପ୍ରଶ୍ନ ହେବାରୁ ବ୍ରିଟିଶ ପ୍ରଧାନମନ୍ତ୍ରୀ କହିଥିଲେ, ବୁଚାରେ ଯାହା ଘଟିଲା ନୂଆଦିଲ୍ଲୀ ଏହାର ଦୃଢ଼ ନିନ୍ଦା କରିଛି। ରୁଷିଆ ସହିତ ଭାରତର ଐତିହାସିକ ସମ୍ପର୍କ ରହିଛି ଓ ସମସ୍ତେ ଏହାକୁ ସମ୍ମାନ ଦିଅନ୍ତି। ବ୍ରିଟେନରେ ଖଲିସ୍ତାନୀ ତତ୍ତ୍ୱଙ୍କୁ ନେଇ ଭାରତର ଚିନ୍ତା ଉପରେ ସେ କହିଥିଲେ, କୌଣସି ଉଗ୍ରପନ୍ଥୀ ସଂଗଠନ ତାଙ୍କ ଦେଶରେ ଥାଇ ଅନ୍ୟ ଦେଶକୁ ଟାର୍ଗେଟ କରିବାକୁ ବରଦାସ୍ତ କରାଯିବ ନାହିଁ। ଅହମଦାବାଦରେ ସେ ନିଜକୁ ସଚିନ ତେନ୍ଦୁଲକର ଭଳି ଅନୁଭବ କରିଥିଲେ ଓ ଗୁଜରାଟ ଭ୍ରମଣ ବେଳେ ସବୁଆଡ଼େ ହୋର୍ଡିଂ ଦେଖି ଅମିତାଭ ବଚ୍ଚନ ଭଳି ଅନୁଭବ କରିଥିବା ବୋରିସ କହିଛନ୍ତି।

Share