ବନ୍ଧକଙ୍କୁ ମୁକ୍ତ କର, ମାନବୀୟ ସହାୟତାକୁ ଅନୁମତି ଦିଅ

ଜାତିସଂଘ,୧୭ା୧୦: ଇସ୍ରାଏଲ୍‌ ଏବଂ ହମାସ୍‌ ମଧ୍ୟରେ ଯୁଦ୍ଧକୁ ୧୦ ଦିନ ବିତିଥିବାବେଳେ ଉଭୟ ପକ୍ଷରୁ ୪,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ହଜାର ହଜାର ଲୋକ ଆହତ ହୋଇଛନ୍ତି। ୨୩ ଲକ୍ଷ ଲୋକ ବସବାସ କରୁଥିବା ହମାସ୍‌ ଶାସିତ ଗାଜା ଷ୍ଟ୍ରିପ୍‌କୁ ଇସ୍ରାଏଲ୍‌ ସମ୍ପୂର୍ଣ୍ଣ ଅବରୋଧ କରି ରଖିଛି। ସେଠାକୁ ଖାଦ୍ୟ, ପାଣି, ଇନ୍ଧନ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଅବରୋଧକୁ ଆହୁରି ଜୋର୍‌ଦାର କରାଯିବ ବୋଲି ଇସ୍ରାଏଲ୍‌ ପ୍ରତିରକ୍ଷା ମନ୍ତ୍ରୀ ୟୋଭ୍‌ ଗାଲାଣ୍ଟ ସୋମବାର କହିଛନ୍ତି। ଇସ୍ରାଏଲରୁ ଅପହରଣ କରିନେଇ ବନ୍ଧକ ରଖିଥିବା ଲୋକମାନଙ୍କୁ ବିନା ସର୍ତ୍ତରେ ତୁରନ୍ତ ମୁକ୍ତ କରିଦେବାକୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ହମାସ୍‌କୁ ଆହ୍ବାନ ଦେଇଛନ୍ତି। ଏହା ବ୍ୟତୀତ ଗାଜା ଷ୍ଟ୍ରିପ୍‌ର ଜନସାଧାରଣଙ୍କୁ ମାନବୀୟ ସହାୟତା ତୁରନ୍ତ ପହଞ୍ଚାଇବା ଲାଗି ଅନୁମତି ଦେବାକୁ ଇସ୍ରାଏଲ୍‌କୁ ଗୁଟେରେସ୍‌ ନିବେଦନ କରିଛନ୍ତି। ଏହା ଉଭୟ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିରେ କୌଣସି ମୂଲଚାଲ ହେବା ଉଚିତ ନୁହେଁ। ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବା ଉପରେ ଗୁଟେରେସ୍‌ ଜୋର୍‌ ଦେଇଛନ୍ତି।
ଜାତିସଂଘ ମୁଖ୍ୟ କହିଛନ୍ତି, ଗାଜାରେ ପାଣି, ବିଜୁଳି ଅଭାବ ସାଙ୍ଗକୁ ଅତ୍ୟାବଶ୍ୟକ ସାମଗ୍ରୀ ସରିଆସିଲାଣି। ଜାତିସଂଘର ଖାଦ୍ୟ, ଅଣଖାଦ୍ୟ ସାମଗ୍ରୀ, ଔଷଧ ଓ ଇନ୍ଧନ ଆଦି ଇଜିପ୍ଟ, ଜୋର୍ଡାନ, ଓ୍ବେଷ୍ଟବ୍ୟାଙ୍କ ଏବଂ ଇସ୍ରାଏଲ୍‌ରେ ଗଚ୍ଛିତ ରହିଛି। ଯୋଗାଣ ପାଇଁ ମଧ୍ୟ ଜାତିସଂଘ କର୍ମଚାରୀ ଓ ଏନ୍‌ଜିଓ ସହଯୋଗୀମାନେ ଉପଲବ୍ଧ ରହିଛନ୍ତି। ଏହିସବୁ ସାମଗ୍ରୀ ତୁରନ୍ତ ଗାଜା ଜନସାଧାରଣଙ୍କ ପାଇଁ ଯୋଗାଇ ଦିଆଯିବା ଆବଶ୍ୟକ ବୋଲି ଗୁଟେରେସ୍‌ କହିଛନ୍ତି।

Share