୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ମାଗଣା ରାଶନ…

ନୂଆଦିଲ୍ଲୀ,୨୪।୧୧: ଏବେ ଆସନ୍ତା ୨୦୨୨ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ମାଗଣା ରାଶନ ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି। ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅନ୍ତର୍ଗତ ଆରମ୍ଭ ହୋଇଥିବା ଏହି ଯୋଜନାର ସମୟ ସୀମା ୩୦ ନଭେମ୍ବରରେ ଶେଷ ହେଉଥିଲା। କରୋନା ମହାମାରୀ ଯୋଗୁ ଗରିବ ଲୋକଙ୍କ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ଯୋଜନା ଲାଗୁ କରାଯାଇଥିଲା। କ୍ୟାବିନେଟ ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ଅନୁରାଗ ଠାକୁର କହିଛନ୍ତି ଯେ ଏଥିପାଇଁ  ଅତିରିକ୍ତ ୫,୩୩୪୪ କୋଟି ଟଙ୍କା ଖର୍ଚ୍ଚ ହେବ।

ଏହି ଯୋଜନାରେ ପ୍ରାୟ ୮୦ କୋଟି ଲୋକ ଉପକୃତ ହେବେ। ଏପର୍ଯ୍ୟନ୍ତ ୬୦୦ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟକୁ ଏଥିପାଇଁ ଅନୁମୋଦନ ମିଳିଛି । ଏହି ଯୋଜନାର କାର୍ଯ୍ୟକାଳ ବଢ଼ାଇବା ଦ୍ୱାରା ଯୋଜନାରେ ମୋଟ ୨.୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ।

ଏହି ଯୋଜନାରେ ଗରିବ ଲୋକଙ୍କୁ ଜଣପିଛା ମାସକୁ ୫ କିଲୋଗ୍ରାମ୍‌ ଖାଦ୍ୟଶସ୍ୟ ମାଗଣାରେ ଯୋଗାଇ ଦିଆଯାଉଛି।

ଅନୁରାଗ ଠାକୁର କହିଛନ୍ତି ଯେ ତିନି କୃଷି ଆଇନ ପ୍ରତ୍ୟାହାର ପାଇଁ କ୍ୟାବିନେଟ ମଧ୍ୟ ଏକ ବିଲ ଅନୁମୋଦନ କରିଛି। ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପରେ ଏହି ବିଲ ସଂସଦରେ ଆଗତ ହେବ। ଏଥିସହ ଏମଏସପିକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ଏକ କମିଟି ଗଠନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିବା ସେ ସୂଚନା ଦେଇଛନ୍ତି।

 

Share