Categories: ଜାତୀୟ

ମୋଦିଙ୍କୁ ଟକ୍କର ଦେଲେ ଦିଦି: ୨୦୨୧ ଜୁନ୍‌ ପର୍ଯ୍ୟନ୍ତ ମାଗଣାରେ ଦେବେ ରାଶନ

କୋଲକାତା,୩୦।୬: ଅନ୍‌ଲକ୍‌ ୨.୦ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଅପରାହ୍ନ ୪ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ। ଏଥିରେ ସେ ଦେଶର ଗରିବ ଭଉଣୀ ଭାଇଙ୍କ ପାଇଁ ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ ମାଗଣାରେ ରାଶନ ଯୋଗାଇ ଦେବାକୁ କହିଛନ୍ତି। ଏହାପରେ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଦେଶରେ ମହାମାରୀ କରୋନା ଯୋଗୁ ଯେଉଁଭଳି ପରିସ୍ଥିତି ଉପୁଜିଛି ତାକୁ ଦୃଷ୍ଟିରେ ରଖି ତାଙ୍କ ସରକାର ରାଜ୍ୟବାସୀଙ୍କୁ ଆସନ୍ତା ଜୁନ୍‌ ୨୦୨୧ ପର୍ଯ୍ୟନ୍ତ ମାଗଣା ରାଶନ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି କରୋନାକୁ ଦୂରେଇବା ପାଇଁ ରାଜ୍ୟରେ ନିୟମ କୋହଳ କରାଯାଇଥିବା ବେଳେ ପ୍ରାତଃ ଭ୍ରମଣ ପାଇଁ ସକାଳ ୫ଟା ୩୦ରୁ ୮ଟା ୩୦ ପର୍ଯ୍ୟନ୍ତ ସମୟ ଦିଆଯାଇଛି ବୋଲି ସେ କହିଛନ୍ତି। କିନ୍ତୁ ଏହି ସମୟରେ ସାମାଜିକ ଦୂରତା ନିୟମ ପାଳନ କରିବା ଜରୁରୀ। ସେହିପରି ବିବାହ କାର୍ଯ୍ୟରେ କେବଳ ୫୦ ଜଣ ଯୋଗ ଦେବାକୁ ଅନୁମତି ପ୍ରଦାନ କରାଯାଇଥିବା ବେଳେ ଶ୍ରାଦ୍ଧ କାର୍ଯ୍ୟରେ କେବଳ ୨୫ ଜଣ ଯୋଗ ଦେଇ ପାରିବେ ବୋଲି ସେ କହିଛନ୍ତି।

Share