Categories: ଖେଳ

‘ମୋ ବାପାଙ୍କୁ ମୁକ୍ତ କର’

ଲୁଟନ୍‌,୭ା୧୧: ଅପହୃତ ପିତାଙ୍କୁ ମୁକ୍ତ କରିବା ପାଇଁ ନିବେଦନ କରି ଚର୍ଚ୍ଚାରେ ଲିଭରପୁଲ୍‌ ଫୁଟବଲର ଲୁଇସ୍‌ ଡିଆଜ୍‌। କଲମ୍ବିଆର ଏକ ଗରିଲା ଗ୍ରୁପ୍‌ ଡିଆଜଙ୍କ ମାତା ପିତାଙ୍କୁ ଅପହରଣ କରି ନେଇଥିଲେ। ମା’ଙ୍କୁ ଛାଡି ଦେଇଥିଲେ ମଧ୍ୟ ଅପହର୍ତ୍ତା ମାନେ ତାଙ୍କ ପିତାଙ୍କୁ ଛାଡି ନାହାନ୍ତି। ଏହାକୁ ନେଇ ଅନନ୍ୟ ଉପାୟରେ ଆବେଦନ କରିଛନ୍ତି ଲୁଇସ୍‌। ଅତିରିକ୍ତ ସମୟରେ ଏକ ଚମତ୍କାର ହେଡର ଜରିଆରେ ଗୋଲ ଦେଇ ଲୁଇସ୍‌ ମ୍ୟାଚ୍‌କୁ ଡ୍ର କରିଥିଲେ। ଗୋଲ ସ୍କୋର କରିବା ପରେ ନିଜ ଟି ଶାର୍ଟ ଉପରକୁ ଉଠାଇ ଏଥିରେ ଲେଖାଥିବା ମେସେଜ୍‌ ଦେଖାଇଥିଲେ। ଏଥିରେ ଲେଖାଥିଲା ‘ଲିବେର୍ଟାଡା ପାରା ପାପା’ ଯାହାର ଅର୍ଥ ହେଉଛି ମୋର ପିତାଙ୍କୁ ମୁକ୍ତ କର। ମ୍ୟାଚ୍‌ ପରେ ଏକ ଇନ୍‌ଷ୍ଟାଗ୍ରାମ ପୋଷ୍ଟ କରିଥିଲେ ଲୁଇସ୍‌। ଏଥିରେ ଲେଖା ଥିଲା ଆଜି ମ୍ୟାଚ୍‌ ସମୟରେ ଫୁଟବଲର ଲୁଇସ୍‌ ଡିଆଜ୍‌ ନୁହେଁ ବରଂ ଲୁଇସ୍‌ ମାନୁଏଲ ଡିଆଜଙ୍କ ପୁଅ ହିସାବରେ ମୁଁ ଅନୁରୋଧ କରିଥିଲି। ପିତାଙ୍କ ଅପହରଣ ପରେ ମୋ ପରିବାର ଓ ମୁଁ ଗଭୀର ମାନସିକ ଦୁଶ୍ଚିନ୍ତା ମଧ୍ୟରେ ଅଛୁ ତେଣୁ ତାଙ୍କୁ ମୁକ୍ତ କର ବୋଲି ସେ ଅନୁରୋଧ କରିଥିଲେ। କଲମ୍ବିଆର ସହର ବାରାନ୍‌କାସରୁ ତାଙ୍କର ପିତା ମାତାଙ୍କୁ ଅପହରଣ କରାଯାଇଥିବା ବେଳେ କିଛି ଘଣ୍ଟା ମଧ୍ୟରେ ତାଙ୍କ ମା’ଙ୍କୁ ପୋଲିସ୍‌ ଉଦ୍ଧାର କରିଥିଲେ ମଧ୍ୟ ପିତାଙ୍କର କୌଣସି ଖୋଜ ଖବର ମିଳିନାହିଁ।

Share