୬ ରାଜ୍ୟରେ ମିଳିବ ମାଗଣା କରୋନା ଟିକା: ସରକାରଙ୍କ ପ୍ରତିଶ୍ରୁତି !

ନୂଆଦିଲ୍ଲୀ, ୨୪।୧୦: ଭାରତର ୬ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା କରୋନା ଟିକା ଦିଆଯିବା ସମ୍ପର୍କରେ ଘୋଷଣା କରାଯାଇଛି। ସେସବୁ ରାଜ୍ୟ ମଧ୍ୟରେ ବିହାର, ମଧ୍ୟପ୍ରଦେଶ, ଆସାମ, ତେଲଙ୍ଗାନା, କର୍ନାଟକ ଏବଂ ତାମିଲନାଡୁ ଆଦି ରାଜ୍ୟ ରହିଛି। ଟିକା ଏପର୍ଯ୍ୟନ୍ତ ମିଳି ନ ଥିବା ସତ୍ତ୍ୱେ ରାଜନୈତିକ ଫାଇଦା ପାଇଁ ଏସବୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ବିହାରରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଭାଜପା ପକ୍ଷରୁ ଜାରି ହୋଇଥିବା ଘୋଷଣା ପତ୍ରରେ ମାଗଣା କରୋନା ଟିକା ନେଇ ପ୍ରତିଶ୍ରୁତି ଦିଆଯାଇଛି। ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଟିକା ପାଇଁ ଖର୍ଚ୍ଚ କରିବାକୁ ସକ୍ଷମ ନ ଥିବା ଲୋକଙ୍କୁ ମାଗଣାରେ ଏହା ଯୋଗାଇଦେବାକୁ ସୂଚନା ଦେଇସାରିଛନ୍ତି। ସେହିପରି ଆସାମର ସ୍ବାସ୍ଥ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ରାଜ୍ୟରେ କରୋନା ଟିକା ମାଗଣାରେ ଯୋଗାଇଦେବାକୁ କହିଛନ୍ତି। ତେଲଙ୍ଗାନା ସ୍ବାସ୍ଥ୍ୟମନ୍ତ୍ରୀ ଇଟେଲା ରାଜେନ୍ଦ୍ର ଗରିବ ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ମାଗଣାରେ ଦେବାକୁ ଦେବା ଲାଗି କହିଛନ୍ତି। କର୍ନାଟକ ଏବଂ ତାମିଲନାଡୁ ସରକାର ମଧ୍ୟ ରାଜ୍ୟରେ ମାଗଣା କରୋନା ଟିକା ଉପଲବ୍ଧ କରାଇବା ପାଇଁ ପ୍ରତିଶ୍ରୁତି ଦେଇସାରିଛନ୍ତି।

Share