ଜରିମାନାରେ ଜାଲିଆତି

କଟକ ଅଫିସ,୩।୧୦: ଜରିମାନା ଆଦାୟରେ ଜାଲିଆତି ହେଉଛି। ପୋଲିସ ଯେତିକି ଟଙ୍କାର ଚାଲାଣ କାଟୁଛି, ସରକାରଙ୍କ ନିକଟରେ ଏହାଠୁ କମ୍‌ ରାଶି ଦର୍ଶାଯାଉଛି। ଏଭଳି ଏକ ଘଟଣା ଚାଉଳିଆଗଞ୍ଜ ଥାନା ଅଧୀନରେ ହୋଇଥିବା ଅଭିଯୋଗ ହୋଇଛି। ଗତ ଜୁଲାଇ ୨୦ ତାରିଖରେ ଜଣେ ବ୍ୟକ୍ତି କରୋନା କଟକଣା ନ ମାନି ୨୦୦ ଟଙ୍କାର ତଣ୍ଡ ଗଣିଥିଲେ। ତାଙ୍କୁ ଦିଆଯାଇଥିବା ଚାଲାଣରେ ମଧ୍ୟ ୨୦୦ ଟଙ୍କା ଦର୍ଶାଯାଇଥିଲା। ପରେ ଏ ନେଇ ସେ ସୂଚନା ଅଧିକାର ଆଇନ ବଳରେ ରିପୋର୍ଟ ମାଗିଥିଲେ। ତେବେ ଆଶ୍ଚର୍ଯ୍ୟର କଥା, ତାଙ୍କଠାରୁ ୧୦୦ ଟଙ୍କା ଜରିମାନା ନିଆଯାଇଥିବା କମିଶନରେଟ ପୋଲିସ ପକ୍ଷରୁ ରିପୋର୍ଟ ଦିଆଯାଇଛି। ଏଥିରୁ ଜରିମାନା ଆଦାୟରେ ପୋଲିସର ଅନିୟମିତତା କାରସାଦି ପଦାକୁ ଆସିଛି।
ଚାଲାଣ କାଟିବାରେ ଅନିୟମିତତା ଅଭିଯୋଗ ଆଣିଛନ୍ତି ଅନୁଗୋଳର ସୁଜିତ କୁମାର ସାହୁ (୩୦)। ସେ କଟକ ନୂଆବଜାର ଅଞ୍ଚଳରେ ଘରଭଡ଼ା ନେଇ ରୁହନ୍ତି। କରୋନା ଯୋଗୁ ଗତ ଜୁଲାଇ ମାସରେ ସାଧାରଣ ଯାତାୟାତ ଉପରେ କଟକଣା ଥିଲା। ଜରୁରିକାଳୀନ ସ୍ଥିତିରେ ଯେଉଁମାନେ ଯିବା ପାଇଁ ଚାହିଁବେ ସେମାନେ ପୋଲିସଠାରୁ ଅନୁମତି ନେବାକୁ ନିର୍ଦ୍ଦେଶ ରହିଥିଲା। ଗତ ୨୦ ତାରିଖରେ ସୁଜିତ ବ୍ୟକ୍ତିଗତ କାର୍ଯ୍ୟରେ କଲେଜ ଛକକୁ ଆସୁଥିଲେ। ନୂଆବଜାର ଓଭରବ୍ରିଜ ନିକଟରେ ପୋଲିସ ତାଙ୍କୁ ଅଟକାଇ ପଚରାଉଚରା କରିଥିଲା। ପରେ କରୋନା କଟକଣା ଉଲ୍ଲଂଘନ ଅଭିଯୋଗରେ ୫୦୦ ଟଙ୍କା ଜରିମାନା ଦେବାକୁ ସେଠାରେ ଉପସ୍ଥିତ ଥିବା ଜଣେ ସବ୍‌ଇନ୍ସପେକ୍ଟର କହିଥିଲେ। ତେବେ ତାଙ୍କ ପାଖରେ ୨୦୦ ଟଙ୍କା ଅଛି ବୋଲି ସୁଜିତ କହିଥିଲେ। ତୁମେ ୨୦୦ ଟଙ୍କା ଦିଅ, ଆଉ ୩୦୦ ଟଙ୍କା ଆମେ ଅନ୍ୟ କାହାଠାରୁ ଆଣି ଆଡଜଷ୍ଟ କରିଦେବୁ ବୋଲି ପୋଲିସ କହିବା ସହିତ ୨୦୦ ଟଙ୍କାର ଏକ ରସିଦ (ନଂ-୨୭୩୫୩୦୬) ଦେଇଥିଲେ। ଏହାକୁ ନେଇ ସୁଜିତଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା। ଏହା ପରଦିନ ସେ ଚାଉଳିଆଗଞ୍ଜ ଥାନାରେ ଆର୍‌ଟିଆଇ ଜରିଆରେ ଏକ ରିପୋର୍ଟ ମାଗିଥିଲେ। ୨୦ ତାରିଖରେ କେତେ ଜଣ କେତେ ଟଙ୍କା ଲେଖାଏ ଜରିମାନା ଦେଇଛନ୍ତି ବୋଲି ସେ ଏଥିରେ ପ୍ରଶ୍ନ କରିଥିଲେ। ପରେ ଅଗଷ୍ଟ ୨୭ରେ ମଧ୍ୟ ପୁନର୍ବାର ଆଉ ଥରେ ରିପୋର୍ଟ ମାଗିଥିଲେ। ହେଲେ ସମସ୍ତ ତଥ୍ୟ କମିଶନରେଟ ଅଫିସରେ ମିଳିବ ବୋଲି ଥାନା ପକ୍ଷରୁ କୁହାଯାଇଥିଲା। ପରେ ସେ ପୋଲିସ କମିଶନରେଟ ଅଫିସକୁ ଏକ ଚିଠି ପଠାଇଥିଲେ। ଶୁକ୍ରବାର କମିଶନରେଟଙ୍କ ଅଫିସରୁ ଉତ୍ତର ଦିଆଯାଇଛି। ତାଙ୍କଠାରୁ ସେହିଦିନ ୧୦୦ ଟଙ୍କା ଜରିମାନା ନିଆଯାଇଥିବା ଏଥିରେ ଉଲ୍ଲେଖ ରହିଛି। ତେବେ ପୋଲିସ ଅବଶିଷ୍ଟ ୧୦୦ ଟଙ୍କା ହଡ଼ପ କରିଥିବା ଏଥିରୁ ସ୍ପଷ୍ଟ ହେଉଛି। ରସିଦ ନମ୍ବର, ତାରିଖ ଓ ଦସ୍ତଖତ ସମାନ ଥାଇ ସୁଦ୍ଧା ପୋଲିସ ଅଧିକାରୀ ସରକାରଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ସୁଜିତ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଚାଉଳିଆଗଞ୍ଜ ଥାନା ଅଧିକାରୀ ତାପସ ପ୍ରଧାନଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ତଦନ୍ତ କରାଯିବ ବୋଲି କହିଛନ୍ତି।