Categories: ଜାତୀୟ

ଆଇଏଏସ୍‌ ଟିନା ଡାବିଙ୍କ ନାଁ ନେଇ ଠକେଇ ଅଭିଯୋଗ

ଜୟପୁର,୯।୭: ରାଜସ୍ଥାନର ଜୈସଲମେର ଜିଲାପାଳ ଟିନା ଡାବିଙ୍କ ନାଁ ନେଇ ଠକେଇ ଅଭିଯୋଗ ହୋଇଛି। ହ୍ବାଟ୍‌ସଆପ୍‌ରେ ଟିନା ଡାବିଙ୍କ ଫଟୋ ରଖି ଜଣେ ବ୍ୟକ୍ତି ଆମାଜନ ଉପହାର କାର୍ଡ ମାଗିଥିଲେ। ଟିନା ଡାବି ଏହି ସୂଚନା ଜୈସଲମେର ଏସପିଙ୍କୁ ଦେଇଥିଲେ।
ୟୁଆଇଟି ସଚିବ ସୁନୀତା ଚୌଧୁରୀ ତାଙ୍କ ହ୍ବାଟ୍‌ସଆପ୍‌ରେ ଏକ ମେସେଜ୍‌ ପାଇଥିଲେ। ଏହି ମେସେଜ୍‌ ଆସିଥିବା ନମ୍ବରର ଫ୍ରୋଫାଇଲ୍‌ ଫଟୋ ଥିଲେ ଟିନା ଡାବିଙ୍କ ଥିଲା କିନ୍ତୁ ମୋବାଇଲ ନମ୍ବର ଅଲଗା ଥିଲା। ଅଭିଯୁକ୍ତ ସୁନୀତାଙ୍କୁ ଆମାଜନ ଉପହାର କାର୍ଡ ବିଷୟରେ ପଚାରିଥିଲେ। ମେସେଜ୍‌ଟି ଭଲ ଇଂରାଜୀରେ ଲେଖା ହୋଇଥିଲା। ସୁନୀତା କହିଛନ୍ତି, ମୁଁ ନିଶ୍ଚିତ ଥିଲି ଯେ, ଟିନା ମ୍ୟାଡାମଙ୍କ କିଛି କାମ ଥିବ କିନ୍ତୁ ମୁଁ ଆମାଜନ ବ୍ୟବହାର କରେ ନାହିଁ, ତେଣୁ ଏ ବିଷୟରେ ଅଧିକ ଜାଣି ନ ଥିଲି। ମୁଁ ମ୍ୟାଡାମଙ୍କ ଫୋନ କରିଥିଲି। ତା’ପରେ ଜାଣିଲି ଯେ ସେ ଏପରି କୌଣସି ମେସେଜ୍‌ ପଠାଇ ନାହାଁନ୍ତି।

ଜିଲାପାଳ ଟିନା ଡାବି ଜୈସଲମେର ଏସପିଙ୍କୁ ଏହି ବିଷୟରେ ସୂଚନା ଦେଇଥିଲେ। ଏସପି ନମ୍ବର ଯାଞ୍ଚ୍‌ କରିବାରୁ ମେସେଜ୍‌ଟି ଡୁଙ୍ଗରପୁରରୁ ଆସିଥିବା ଜଣାପଡିଥିଲା। ଡୁଙ୍ଗରପୁରର ଏସପି ଏହି ଘଟଣାରେ ଜଣେ ଯୁବକଙ୍କୁ ଗିରଫ କରିଛନ୍ତି। ଏହି ଘଟଣା ପରେ ଜିଲାପାଳ ଟିନା ଡାବି ଲୋକମାନଙ୍କୁ ନିବେଦନ କରି କହିଥିଲେ ଯେ, ତାଙ୍କର କେବଳ ଗୋଟିଏ ନମ୍ବର ଅଛି, ଯାହା ସରକାରୀ ଅଟେ। ତେଣୁ ଲୋକମାନେ ସାବଧାନ ରୁହନ୍ତୁ। ଏହିପରି ମେସେଜ୍‌ ପାଇବା ପରେ ତୁରନ୍ତ ପୋଲିସର ଅଭିଯୋଗ କରନ୍ତୁ।

Share