୮ ବୃଦ୍ଧଙ୍କୁ ବିବାହ କରି କଳାକନା ବୁଲାଇଲେ ଯୁବତୀ

ଲକ୍ଷ୍ନୌ, ୫।୯: ଗତ ୧୦ ବର୍ଷ ମଧ୍ୟରେ ୮ ଜଣ ବୃଦ୍ଧଙ୍କୁ ବିବାହ କରି ପରେ ଘରେ କଳାକନା ବୁଲାଇଥିବା ଜଣେ ଯୁବତୀଙ୍କୁ ଉତ୍ତରପ୍ରଦେଶ ପୋଲିସ ଗିରଫ କରିଛି। ଯୁବତୀଙ୍କ ଏଭଳି କାର୍ଯ୍ୟ ସମ୍ପର୍କରେ ଗାଜିଆବାଦ୍‌ ଥାନାରେ ଅଭିଯୋଗ କରାଯାଇଥିଲା। ଅଭିଯୋଗ ମିଳିବା ପରେ ପୋଲିସ ଟିମ୍‌ ଯୋଜନାବଦ୍ଧଭାବେ ଯୁବତୀଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲେ। ଯୁବତୀ ଜଣକ କେବଳ ବୃଦ୍ଧଙ୍କୁ ଟାର୍ଗେଟ୍‌ କରୁଥିବା ପୋଲିସ ଜାଣିପାରିଥିଲା। ଶେଷଥର ଅଭିଯୁକ୍ତା ଯୁବତୀ ମୋନିକା ମାଲିକ୍‌ ୬୬ ବର୍ଷ ବୟସ୍କ କଣ୍ଟ୍ରାକ୍ଟର ଯୁଗଳ କିଶୋରଙ୍କୁ ୨୦୧୯ ଅଗଷ୍ଟରେ ବିବାହ କରିଥିଲେ। ପରେ ତାଙ୍କଠାରୁ ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଏବଂ ଅନ୍ୟ ସାମଗ୍ରୀ ଲୁଟି ଫେରାର ହୋଇଯାଇଥିଲେ। ଏହି ବିବାହ ଖନ୍ନା ମାଟ୍ରିମୋନିଆଲ ସଂସ୍ଥା ସହାୟତାରେ କୋର୍ଟରେ ହୋଇଥିଲା। ବିବାହ ସମୟରେ ମୋନିକା ନିଜକୁ ଜଣେ ଛାଡ଼ପତ୍ର ପାଇଥିବା ମହିଳା ଭାବେ ଦର୍ଶାଇଥିଲେ। ଲୁଟ୍‌ ହେବାପରେ ଯୁଗଳ ଖନ୍ନା ମାଟ୍ରିମୋନିଆଲ ସଂସ୍ଥା ସହିତ ଯୋଗାଯୋଗ କରିଥିଲେ l ତେବେ ତାଙ୍କୁ ସଂସ୍ଥା ପକ୍ଷରୁ ଧମକ ଦିଆଯାଇଥିଲା। ଏନେଇ ଯୁଗଳ ଥାନାରେ ଏତଲା ଦାଏର କରିଥିଲେ। ପରେ ମୋନିକାଙ୍କ ସମସ୍ତ ବିବାହର ପର୍ଦ୍ଦାଫାଶ୍‌ ହୋଇଥିଲା।

Share