ବିଦେଶରେ ଚାକିରି ଦେବା ନାଁରେ ଠକେଇ, ୩ ଗିରଫ

ବ୍ରହ୍ମପୁର,୨୦ା୨(ସୁବାସ ଚନ୍ଦ୍ର ପାଢ଼ୀ):କେନିଆରେ ଭଲ ଦରମାରେ ଚାକିରି ପାଇଁ ଏକ କମ୍ପାନୀର ନିଯୁକ୍ତିପତ୍ର ଯୋଗାଇ ଦିଆଯାଉଥିଲା। ପାସପୋର୍ଟ କରିବାକୁ ଜଣଙ୍କ ପିଛା ୨୫ରୁ ୪୦ହଜାର ଟଙ୍କା ଓ ଭିଜା ପାଇଁ ୪୮,୫୦୦ଟଙ୍କା ଆଦାୟ କରାଯାଉଥିଲା। ମାତ୍ର ଯେଉଁ ଭିଜା ମିଳିଲା ତାହା ନିଯୁକ୍ତି ପାଇଁ ନୁହେଁ, ପର୍ଯ୍ୟଟକ ପାଇଁ ଉଦ୍ଦିଷ୍ଟ ଥିଲା। ଏଭଳି ଠକାମି ଅଭିଯୋଗ ଆସିବା ପରେ ଗୋସାଣିନୂଆଗାଁ ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗୋଳନ୍ଥରା ଥାନା କୁଠାରସିଂ ଗାଁର ମୂଳବାସିନ୍ଦା ସିଏଚ. ମୋହନ ରେଡ୍ଡୀ, ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲା କାଶିଗୁଡା ଥାନା ଅଞ୍ଚଳର ପି. ସୀମାଞ୍ଚଳମ ଏବଂ ଟି.ଦିଲେଶ୍ବର ରାଓ। ଅଭିଯୁକ୍ତମାନଙ୍କଠାରୁ ୯୨ ପାସପୋର୍ଟ, କେନିଆ ସରକାରଙ୍କ ଦ୍ବାରା ପ୍ରଣିତ ୨୦ ଟୁରିଷ୍ଟ ଭିଜା, କେତେଜଣ ଆବେଦନକାରୀଙ୍କ ଫର୍ମ ଏବଂ ଆର୍ଥିକ କାରବାରର ସ୍କ୍ରିନସଟ ଜବତ କରାଯାଇଥିବା ସୋମବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ବ୍ରହ୍ମପୁର ଏସ୍‌ପି ଡା.ସର୍ବଣା ବିବେକ ଏମ. ସୂଚନା ଦେଇଛନ୍ତି।
ଚାକିରି ପାଇଁ ମିଳିଥିବା କମ୍ପାନୀର ଅଫର ଲେଟର୍‌ର ସତ୍ୟାସତ୍ୟ ଯାଞ୍ଚ ଚାଲିଥିବା ସେ କହିଛନ୍ତି।
ଗତ ୫ ତାରିଖରେ ଖଲ୍ଲିକୋଟ ଥାନା ଲଙ୍ଗଳେଶ୍ବର ପେଣ୍ଡଉରାପଲ୍ଲୀ ଅଞ୍ଚଳର ପ୍ରଭାତ ଦଳେଇ ଗୋସାଣିନୂଆଗାଁ ଥାନାରେ ଏତଲା ଦେଇଥିଲେ ଯେ, ଅଭିଯୁକ୍ତ ମୋହନ ତାଙ୍କ ସହ ମୋଟ ୨୦ଜଣଙ୍କୁ କେନିଆରେ ଚାକିରି କରାଇ ଦେବାସହ ଆବଶ୍ୟକ ଭିଜା ଯୋଗାଇଦେବାକୁ କହି ବ୍ରହ୍ମପୁର ଷ୍ଟେଶନରେ ଥିବା ଏକ ଗେଷ୍ଟ ହାଉସକୁ ଡକାଇଥିଲେ। ସେଠାରେ ମୋହନ ପ୍ରତ୍ୟେକଙ୍କଠାରୁ ୪୮,୫୦୦ ଲେଖାଏ ମୋଟ ୯ଲକ୍ଷ ୭୦ହଜାର ଟଙ୍କା ନେଇଥିଲେ। ଚାକିରି ଆଶାୟୀମାନେ କେନିଆ ଯିବା ପାଇଁ ଟିକେଟ କରାଇ ଦେବାକୁ ପୁଣି ଫୋନ କରିବାରୁ ସେ ଉଠାଇ ନ ଥିଲେ। ପ୍ରଭାତ ଅନ୍ୟ ଏକ ନମ୍ବରରୁ ଫୋନ କରିବାରୁ ମୋହନ ରେଡ୍ଡୀ ଗାଳିଗୁଲଜ କରିଥିଲେ। ଘଟଣା ନେଇ ସେ ଗୋସାଣିନୂଆଗାଁ ଥାନାରେ ଏତଲା ଦେଇଥିଲେ। ପୋଲିସ ମାମଲା (ନଂ. ୩୪/୨୪) ରୁଜୁକରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି। ଘଟଣାର ଅଧିକ ତଦନ୍ତ ଚାଲିଥିବା ଏସ୍‌ପି କହିିଛନ୍ତି।