ମୋବାଇଲ ଟାୱାର ବସାଇବାକୁ କହି ଠକେଇ: କଟକରୁ ବାନ୍ଧିଲା ପୋଲିସ

ବୈଶିଙ୍ଗା,୧୮ା୧୧(ଡି.ଏନ.ଏ.):  ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ତିଳଦା ଗ୍ରାମର ଜନୈକା ମହିଳାଙ୍କୁ ମୋବାଇଲ ଟାୱାର ବସାଇବାକୁ କହି ଟଙ୍କା ହଡ଼ପ ଘଟଣାରେ କଟକରୁ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି।
ସୂଚନା ଅନୁଯାୟୀ, ତିଳଦା ଗ୍ରାମର ସ୍ନେହାଶିଷ ପରିଡ଼ାଙ୍କ ସ୍ତ୍ରୀ ରୋଜାଲିନଙ୍କ ଘର ପଛପଟେ ଏକ କମ୍ପାନୀର ମୋବାଇଲ ଟାୱାର ବସାଇବାକୁ କହି କଟକ ସିଡିଏ ଅଞ୍ଚଳର ଗଣେଶ୍ୱର ସ୍ବାଇଁଙ୍କ ପୁଅ ତପନ ୧୨ହଜାର ଟଙ୍କା ନେଇ ଯାଇଥିଲେ। ପରବର୍ତ୍ତୀ ସମୟରେ ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ମହିଳା ଜଣକ ଥାନାରେ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ବୈଶିଙ୍ଗା ପୋଲିସ ଏକ ମାମଲା(ନଂ.୩୧୭/୨୨) ରୁଜୁ କରି ଅଭିଯୁକ୍ତଙ୍କୁ କଟକ ସିଡିଏ ଅଞ୍ଚଳରେ ଥିବା ତାଙ୍କ ଘରୁ ଗିରଫ କରିଥିବା ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ର କହିଛନ୍ତି।