ରେଷ୍ଟୁରାଣ୍ଟ-ବସ୍‌-ଟ୍ରେନ୍‌ରେ ଯିବାକୁ ହେଲେ ଭାକ୍ସିନ ପାସ୍‌ ବାଧ୍ୟତାମୂଳକ

ପ୍ୟାରିସ୍‌,୧୦।୮: କରୋନା ମହାମାରୀ ବିରୋଧରେ ଟିକା ସବୁଠାରୁ ବଡ ଅସ୍ତ୍ର ଭାବେ ଉଭା ହୋଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ଦେଶ ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ କରାଇବା ଉପରେ ଜୋର ଦେଉଛନ୍ତି। ଇତିମଧ୍ୟରେ ଫ୍ରାନ୍ସରୁ ସୋମବାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ରେଷ୍ଟୁରାଣ୍ଟ, ଟ୍ରେନ୍‌ ଓ ବସ୍‌ରେ ଟିକା ପାସ୍‌କୁ ବାଧ୍ୟତାମୂଳକ କରାଯାଇଛି। ସାରା ଦେଶରେ ରେଷ୍ଟୁରାଣ୍ଟ, ଟ୍ରେନ୍‌ କିମ୍ବା ବସ୍‌ରେ ଯିବାକୁ ହେଲେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏବେ ସ୍ବତନ୍ତ୍ର ଟିକା ପାସ୍‌ ଦେଖାଇବାକୁ ପଡିବ। ଏଥିପାଇଁ ଲୋକଙ୍କୁ ଏକ କ୍ୟୁଆର୍‌ କୋଡ ଦିଆଯିବ। ଯାହାକୁ ସେମାନେ ଯାତ୍ରା ସମୟରେ ଦେଖାଇପାରିବେ। ଲୋକଙ୍କୁ କରୋନା ଟିକା ପ୍ରତି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ଡେଲ୍ଟାର ବର୍ଦ୍ଧିତ ନୂଆ ମାମଲା ହ୍ରାସ କରିବା ଲକ୍ଷ୍ୟରେ ଫ୍ରାନ୍ସ ସରକାର ଏଭଳି ପଦକ୍ଷେପ ଆପଣାଇଥିବା ଜଣାପଡ଼ିଛି। ଫ୍ରାନ୍ସରେ ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ୩କୋଟି ୬୦ଲକ୍ଷରୁ ଅଧିକ ଲୋକ ଉଭୟ ଟିକା ନେଇସାରିଛନ୍ତି। ଯାହା ଜନସଂଖ୍ୟାର ହାର ହିସାବରେ ୫୪ପ୍ରତିଶତରୁ ଉର୍ଦ୍ଧ୍ୱ ରହିଛି। ସୂଚନାଯୋଗ୍ୟ, କୋଭିଡ-୧୯ ବିରୋଧରେ ଉଭୟ ଟିକା ପାଇଥିବା ଲୋକଙ୍କୁ ଏକ ସ୍ବତନ୍ତ୍ର କରୋନା ପାସ୍‌ ପ୍ରଦାନ କରାଯାଇଛି। ଏଥିସହ ଯେଉଁମାନେ ନିକଟରେ କରୋନାରୁ ସୁସ୍ଥ ହୋଇଛନ୍ତି କିମ୍ବା ନେଗେଟିଭ୍‌ ହୋଇଛନ୍ତି ସେମାନଙ୍କୁ ବି ଏହି ସ୍ବତନ୍ତ୍ର ପାସ୍‌ ପ୍ରଦାନ କରାଯାଇଛି। ସେହିପରି ଏହି ପାସ୍‌କୁ ଦେଶକୁ ଆସୁଥିବା ପର୍ଯ୍ୟଟକଙ୍କୁ ମଧ୍ୟ ପ୍ରଦାନ କରାଯିବ ବୋଲି ସୂଚନା ରହିଛି।

Share