୧୩ ହଜାର କୋଟିରୁ ଅଧିକ ପୁଞ୍ଜି ପ୍ରତ୍ୟାହାର କରିଛନ୍ତି ଏଫ୍‌ପିଆଇ

ମୁମ୍ବାଇ,୧୪ା୯: ଭୂ-ରାଜନୀତିକ କାରଣକୁ ନେଇ ବିଶ୍ୱସ୍ତରରେ ଅନିଶ୍ଚିତତା ବୃଦ୍ଧି ପାଇବା ଯୋଗ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ନିବେଶକମାନଙ୍କୁ ପ୍ରଭାବିତ କରିଛି। ଏହାବ୍ୟତୀତ ଆମେରିକାର ବଣ୍ଡ୍‌ ୟିଲ୍ଡ (ଲାଭ) ବୃଦ୍ଧି ସହ ଡଲାର ମଜଭୁତ ହେବା କାରଣରୁ ନିବେଶକମାନେ କୌଣସି ବିପଦରୁ ବର୍ତ୍ତିବାକୁ ଶ୍ରେୟ ମଣୁଛନ୍ତି। ଯାହାକି ଭାରତୀୟ ଶେୟାର ବଜାର ପାଇଁ ପ୍ରତିକୂଳ ସ୍ଥିତି ଉତ୍ପନ୍ନ କରିଥିବା ବଜାର ବିଶେଷଜ୍ଞମାନେ ଆକଳନ କରିବା ଆରମ୍ଭ କରିଛନ୍ତି। ବିଶେଷକରି ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ) ଭାରତୀୟ ଇକ୍ୱିଟି ବଜାରରୁ କ୍ରମାଗତ ପୁଞ୍ଜି ପ୍ରତ୍ୟାହାର କରିବା ଘଟଣା ଶେୟାର ବଜାର ପାଇଁ ଚିନ୍ତାର କାରଣ ହୋଇପାରେ ବୋଲି କୁହାଯାଉଛି। ଚଳିତ ମାସର ପ୍ରଥମାର୍ଦ୍ଧରେ ବିଦେଶୀ ନିବେଶକମାନେ ଭାରତୀୟ ଶେୟାର ବଜାରରୁ ୧୩,୧୩୮ କୋଟି ପ୍ରତ୍ୟାହାର କରି ନେଇଛନ୍ତି। ସେଣ୍ଟ୍ରାଲ ଡିପୋଜିଟରୀ ସର୍ଭିସେସ୍‌ (ଇଣ୍ଡିଆ)ର ତଥ୍ୟ ଅନୁଯାୟୀ, ଜୁଲାଇ ଏବଂ ଅଗଷ୍ଟରେ ଏଫ୍‌ପିଆଇମାନେ ଯଥାକ୍ରମେ ୨୦,୨୦୦ କୋଟି ଏବଂ ୨୯,୬୩୦ କୋଟି ନିବେଶ କରିଥିଲେ। ମଧ୍ୟପ୍ରାଚ୍ୟ ସଙ୍କଟ ସତ୍ତ୍ୱେ ଭାରତୀୟ ଶେୟାର ବଜାର ଉପରେ ଭରସା ଜୁଟାଇ ଏଫ୍‌ପିଆଇମାନଙ୍କ ଏହି ନିବେଶ ବୃଦ୍ଧି ପୁଞ୍ଜି ବଜାର ପାଇଁ ସକାରାତ୍ମକ ହେବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ଏହି ସଦ୍ୟତମ ପୁଞ୍ଜି ପ୍ରତ୍ୟାହାର ଘରୋଇ ନିବେଶକାରୀଙ୍କ ପାଇଁ ମଧ୍ୟ ନୈରାଶ୍ୟ ଆଣିଥିବା କୁହାଯାଉଛି। ଏହା ପୂର୍ବରୁ ମାର୍ଚ୍ଚରୁ ଜୁନ ପର୍ଯ୍ୟନ୍ତ କ୍ରମାଗତ ଚାରି ମାସ ଧରି ଏଫ୍‌ପିଆଇମାନଙ୍କ ଦ୍ୱାରା ପର୍ଯ୍ୟାପ୍ତ ପୁଞ୍ଜି ପ୍ରତ୍ୟାହାର କରାଯାଇଥିଲା। ତେବେ ସଦ୍ୟତମ ପ୍ରତ୍ୟାହାର ସହିତ ୨୦୨୬ରେ ବର୍ତ୍ତମାନ ସୁଦ୍ଧା ଏଫ୍‌ପିଆଇମାନଙ୍କ ଦ୍ୱାରା ଭାରତୀୟ ଶେୟାର ବଜାରରୁ ମୋଟ ୨.୩୭ ଲକ୍ଷ କୋଟି ଟଙ୍କା ପ୍ରତ୍ୟାହାର କରାଯାଇଛି, ଯାହାକି ସମ୍ପୂର୍ଣ୍ଣ ୨୦୨୫ ବର୍ଷ ମଧ୍ୟରେ ପ୍ରତ୍ୟାହାର କରାଯାଇଥିବା ୧.୬୬ ଲକ୍ଷ କୋଟିକୁ ଅତିକ୍ରମ କରିଛି।

Dharitri – Odisha’s No.1 Odia Daily

Share
Tags: FPI