Categories: ଜାତୀୟ

ଟୁଇଟର ବିରୋଧରେ ଚାଇଲ୍ଡ ପର୍ନୋଗ୍ରାଫି ମାମଲା

ନୂଆଦିଲ୍ଲୀ,୨୯।୬: ଟୁଇଟର ପିଛା ଛାଡ଼ିବାକୁ ନା ଧରୁନି ବିବାଦ। ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ବିରୋଧରେ ଦିଲ୍ଲୀରେ ଚାଇଲ୍ଡ ପର୍ନୋଗ୍ରାଫି ମାମଲା ଦାୟର ହୋଇଛି। ୟୁଜର୍ସଙ୍କ ପୋଷ୍ଟ ସମ୍ପର୍କୀତ ଅଧିକାର ହରାଇବା ପରେ ଟୁଇଟର ବିରୋଧରେ ଏହା ଚତୁର୍ଥ ମାମଲା। ପୋକ୍‌ସୋ ଆଇନ ଓ ଆଇଟି ଆଇନ ଅଧୀନରେ ସୋସିଆଲ ମିଡିଆ ପ୍ଲାଟଫର୍ମ ବିରୋଧରେ ନୂଆ ମାମଲା ଦାୟର ହୋଇଛି।

ଶିଶୁ ଅଧିକାର ସୁରକ୍ଷା ଜାତୀୟ କମିଶନ (ଏନ୍‌ସିପିସିଆର) ପକ୍ଷରୁ ଅଭିଯୋଗ ଆସିବା ପରେ ଦିଲ୍ଲୀ ପୋଲିସର ସାଇବର ସେଲ୍‌ ଏହି ମାମଲା ରୁଜୁ କରିଛି। ପିଲାଙ୍କ ଅଶ୍ଳୀଳ ଭିଡିଓ ଓ ଫଟୋ ଟୁଇଟରରେ କ୍ରମାଗତ ପୋଷ୍ଟ କରାଯାଉଥିବା ଅଭିଯୋଗରେ ଦର୍ଶାଯାଇଛି ଏନ୍‌ସିପିସିଆର। ପୂର୍ବରୁ ଏ ସମ୍ପର୍କରେ ସ୍ବର ଉଠାଇଥିବା କମିଶନ ସାଇବର ସେଲ ଓ ଦିଲ୍ଲୀ ପୋଲିସ ମୁଖ୍ୟଙ୍କୁ ପୃଥକ ଚିଠି ଲେଖିଛି। ସାଇବର ସେଲର ବରିଷ୍ଠ ଅଧିକାରୀଙ୍କୁ ଜୁନ ୨୯ ତାରିଖରେ କମିଶନ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଚଳିତ ମାସ ମଧ୍ୟ ଭାଗରେ ଗାଜିଆବାଦରେ ମୁସିଲମ ବୃଦ୍ଧଙ୍କୁ ଆକ୍ରମଣ ଘଟଣାରେ ଟୁଇଟର ବିରୋଧରେ ମାମଲା ଦାୟର ହୋଇଥିଲା। ଏହି ମାମଲାରେ ଗିରଫ ହେବାରୁ ଟୁଇଟର ଇଣ୍ଡିଆ ମୁଖ୍ୟ ମନୀଷ ମାହେଶ୍ୱରୀଙ୍କୁ ସୁରକ୍ଷା ଦେଇଛି କର୍ନାଟକ ହାଇକୋର୍ଟ। ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି ୟୁପି ପୋଲିସ। ଏହାବାଦ୍‌ ଜମ୍ମୁ-କଶ୍ମୀର, ଲଦାଖକୁ ଅଲଗା ଦେଶ ଦର୍ଶାଉଥିବା ଦେଶର ତ୍ରୁଟିପୂର୍ଣ୍ଣ ମାନଚିତ୍ର ପାଇଁ ଟୁଇଟର ବିରୋଧରେ ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶରେ ମାମଲା ରୁଜୁ ହୋଇଛି।

Share