ଥାନାରେ ଗଣ୍ଡଗୋଳ: ପୋଲିସ କର୍ମଚାରୀ ସମେତ ୪ ଆହତ

ଆଠଗଡ଼,୨୨।୧୦(ଡି.ଏନ୍‌.ଏ.): କଟକ ଜିଲା ନରସିଂହପୁର ଥାନା ଶୁକ୍ରବାର ରଣକ୍ଷେତ୍ର ପାଲଟିଛି। ୩ ଜଣଙ୍କୁ ଗିରଫ ଘଟଣାରେ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଗଣ୍ଡଗୋଳରେ ୪ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ ପୋଲିସ କର୍ମଚାରୀ ରହିଥିବା ବେଳେ ଜଣେ ସାଧାରଣ ଲୋକ ଅଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ନରସିଂହପୁର ପୋଲିସ ବଡମ୍ବା ଥାନା ଅନ୍ତର୍ଗତ ରତାପାଟ ଗାଁର ୩ ଜଣ ଭାଜପା କର୍ମୀଙ୍କୁ ଉଠାଇ ଆଣିଥିଲା। ସେମାନେ ହେଉଛନ୍ତି ମନୋଜ ନାୟକ, ରଞ୍ଜନ ସାମନ୍ତରାୟ ଓ ଲିପୟ ବଳିୟାରସିଂ। ଏକ ଅପହରଣ ଓ ଗଣ୍ଡଗୋଳ ମାମଲାରେ ସେମାନଙ୍କୁ ଗିରଫ କରାଯାଇଥିବା ପୋଲିସ କହୁଥିବା ବେଳେ କୌଣସି କାରଣ ନ ଥାଇ ସେମାନଙ୍କୁ ଗିରଫ କରାଯାଇଥିବା ଭାଜପା ଅଭିଯୋଗ କରିଛି।

ଏହାର ପ୍ରତିବାଦରେ ଦଳ ପକ୍ଷରୁ ଥାନାରେ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କର୍ମୀମାନେ ଥାନା ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଥିଲେ। ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହାପରେ ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ। ଗିରଫ ତିନି ଜଣଙ୍କ ବିରୋଧରେ ଅପହରଣ କରି ମାରଧର କରିଥିବା ଅଭିଯୋଗ ହୋଇଥିଲା।