ଗଞ୍ଜେଇ ନେଉଥିବାବେଳେ ଧରାପଡିଲେ, ମହିଳାଙ୍କ ସମେତ ୪ ଗିରଫ

ସୁନ୍ଦରଗଡ଼,୧୯।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଟାଉନ ଥାନା ପୋଲିସ ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଓ ଏକ ମାରୁତି କାର ଜବତ କରିଛି। ଘଟଣାରେ ସମ୍ପୃକ୍ତ ଜଣେ ମହିଳାଙ୍କ ସମେତ ୪ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ବିଷ୍ଣୁ ଶର୍ମା ୪୦, କେଦାର ସି ୪୬, ମହେଶ କୁମାର ୩୬ ଓ ରେଖା ଶର୍ମା। ସେମାନଙ୍କ ନିକଟରୁ ନଗଦ ୧୫ ହଜାର ୮୩୦ ଟଙ୍କା ମଧ୍ୟ ଜବତ ହୋଇ ଥିବା ପୋଲିସ ସୂଚନା ଦେଇଛି।
ସୂଚନାଯୋଗ୍ୟ, ଗିରଫ ଗଞ୍ଜେଇ ଚାଲାଣକାରୀମାନେ ଉତ୍ତର ପ୍ରଦେଶ ଆଗ୍ରା ମଥୁରାର ବୋଲି ଜଣାପଡ଼ିଛି। ଉମରକୋଟରୁ ଏଚ୍‌ଆର୍‌-୫୧ଏବ୍ଲ୍ୟୁ ୯୫୫୭ ନମ୍ବର ବିଶିଷ୍ଟ କାର୍‌ ଯୋଗେ ଏମାନେ ଏହି ଗଞ୍ଜେଇକୁ ସୁନ୍ଦରଗଡ଼ ଦେଇ ଆଗ୍ରାର ମଥୁରାକୁ ଚାଲାଣ କରୁଥିବା ସମ୍ପର୍କରେ ଏସ୍‌ପି ସୂଚନା ପାଇବା ପରେ ତାଙ୍କ ନିର୍ଦ୍ଦେଶ କ୍ରମେ ଟାଉନ ଆଇଆଇସି ବିବତ୍ସ ପ୍ରଧାନ ସଦଳବଳ ବିଜୁ ଏକ୍ସପ୍ରେସ ଏଓର ରାଣୀ ବଗିଚା ଛକ ନିକଟରୁ ଏହି ଅଟକାଇ ସେଥିରୁ ୬୭ କେଜି ୧୦୦ଗ୍ରାମ ଗଞ୍ଚେଇ ଜବତ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।