‘ଫୋର୍‌-ଏମ୍‌’: ମମତାଙ୍କୁ ଆଣି ଦେଲା ବିଜୟ…

କୋଲକାତା,୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳରେ ଶାସକ ତୃଣମୂଳ କଂଗ୍ରେସ ପୁଣି ଥରେ ଶାସନ ଡୋର ହାତେଇବାକୁ ଯାଉଛି। ଶାସକ ତୃଣମୂଳ ୨୧୧ ଆସନରେ ଆଗେଇଥିବାବେଳେ ଭାଜପା ୭୭ ଆସନରେ ଆଗୁଆ ରହିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଜୟରେ ‘ଫୋର୍‌-ଏମ୍‌’ର ଗୁରୁତ୍ୱ ଅଧିକ ରହିଛି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ପ୍ରଥମ ଏମ୍‌ ମତୁଆ ସମ୍ପ୍ରଦାୟଙ୍କୁ ସୂଚିତ କରୁଛି। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପୂର୍ଣ୍ଣ ଭରସା କରି ପାରିଲେ ନାହିଁ। ଫଳରେ ଭାଜପା ଅପେକ୍ଷା ତୃଣମୂଳକୁ ସେମାନେ ସମର୍ଥନ କଲେ। ସେହିପରି ଦ୍ୱିତୀୟ ଏମ୍‌ ହେଉଛି ରାଜ୍ୟର ମୁସଲମାନ୍‌ ଭୋଟର। ମୁସଲମାନ୍‌ ଭୋଟରଙ୍କୁ ଆକର୍ଷିତ କରିବାରେ ଭାଜପା ଅସଫଳ ରହିବାରୁ ଏହାର ଫାଇଦା ତୃଣମୂଳ ଖାତାକୁ ଯାଇଛି। ସେହିପରି ତୃତୀୟ ଏମ୍‌ ହେଉଛି ରାଜ୍ୟର ମହିଳା ଭୋଟର। ମହିଳା ଭୋଟରମାନେ ମମତା ଦିଦିଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି। ଫଳରେ ଦିଦି ପୁଣିଥରେ କ୍ଷମତା ଦଖଲ କରିପାରିଛନ୍ତି। ଚତୁର୍ଥ ଏମ୍‌ ହେଉଛନ୍ତି ନିଜେ ମମତା। ମମତାଙ୍କ ଭାବମୂର୍ତ୍ତି ମଳିନ କରିବାକୁ ଭାଜପା ପ୍ରୟାସ କରି ମଧ୍ୟ ଅସଫଳ ରହିଥିବା ରାଜନୈତିକ ସମୀକ୍ଷକ କହିଛନ୍ତି। ଫଳରେ ରାଜ୍ୟରେ ମୋଦି ମ୍ୟାଜିକ୍‌ କାମ କରି ନାହିଁ। ଅପରପକ୍ଷରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ରଣନୀତି କାମ ଦେଇ ନାହିଁ। ଚାଷୀଙ୍କ ଘରେ ବୁଲିବୁଲି ଭୋଜନ କରିବା ଅବା ମୁଠି ଚାଉଳ ସଂଗ୍ରହ ଅସଫଳ ରହିଥିବା ସମୀକ୍ଷକ କହିଛନ୍ତି।

Share