ଇମ୍ରାନଙ୍କ ଦଳର ଚାରି ଜଣ ନେତାଙ୍କୁ ଦଶ ବର୍ଷ ଜେଲଦଣ୍ଡ

ଲାହୋର,୨୧।୬: ଶନିବାର ପାକିସ୍ତାନର ଏକ କୋର୍ଟ ୨୦୨୩ ଦଙ୍ଗା ସହିତ ଜଡିତ ଏକ ମାମଲାରେ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳର ଚାରି ଜଣ ବରିଷ୍ଠ ନେତାଙ୍କୁ ଦଶ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏହି ସମୟରେ, ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶୀଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି।
୯ ମଇ ୨୦୨୩ରେ କ୍ରିକେଟରରୁ ରାଜନେତା ହୋଇଥିବା ଇମ୍ରାନଙ୍କ ଗିରଫଦାରୀ ପରେ ସାରା ଦେଶରେ ବିଶେଷକରି ପଞ୍ଜାବ ଏବଂ ଖାଇବର ପଖତୁନଖ୍ବାରେ ହିଂସାତ୍ମକ ପ୍ରତିବାଦ ଆରମ୍ଭ ହୋଇଥିଲା। ପ୍ରଦର୍ଶନକାରୀମାନେ ଡଜନ ଡଜନ ସାମରିକ ପ୍ରତିଷ୍ଠାନ ଏବଂ ସରକାରୀ କୋଠାକୁ କ୍ଷତି ପହଞ୍ଚାଇଥିଲେ।
ଲାହୋରର ମୁଗଲପୁରା ଅଞ୍ଚଳରେ ପୋଲିସ ଗାଡ଼ି ଉପରେ ଆକ୍ରମଣ ଏବଂ ପୋଡ଼ି ଦେବା ପାଇଁ ପୂର୍ବତନ ପଞ୍ଜାବ ରାଜ୍ୟପାଳ ଓମାର ସରଫରାଜ ଚିମା, ପୂର୍ବତନ ପଞ୍ଜାବ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ୟାସମିନ ରସିଦ, ପୂର୍ବତନ ପଞ୍ଜାବ ମନ୍ତ୍ରୀ ମିଆଁ ମହମୁଦ-ଉର-ରସିଦ ଏବଂ ପୂର୍ବତନ ସାଂସଦ ଏଜାଜ ଚୌଧୁରୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।
ଏହି ମାମଲାର ଶୁଣାଣି ଗୁରୁବାର ଶେଷ ହୋଇଥିଲା। ଆତଙ୍କବାଦ ନିରୋଧୀ କୋର୍ଟ (ATC) ବିଚାରପତି ମାନଜାର ଅଲି ଗିଲ ଶନିବାର ଦଣ୍ଡାଦେଶ ଶୁଣାଇଥିଲେ।

Dharitri – Odisha’s No.1 Odia Daily

Share