ବସ୍‌-କାର୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୪ ଭାରତୀୟ ପର୍ଯ୍ୟଟକଙ୍କ ଜୀବନ

କାଠମାଣ୍ଡୁ,୨୬।୪: ନେପାଳର ଧାଡିଙ୍ଗ ଜିଲାରେ ବସ୍‌-କାର୍‌ ମଧ୍ୟରେ ମୁହଁାମୁହିଁ ଧକ୍କା ହେବାରୁ ୪ ଭାରତୀୟ ପର୍ଯ୍ୟଟକଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ଠାକ୍‌ରେ ଅଞ୍ଚଳ ଅନ୍ତର୍ଗତ ପୃଥ୍ବୀ ହାଇଓ୍ବେର ଏହି ଦୁର୍ଘଟଣା ଘଟିଛି। ଭାରତୀୟ ପର୍ଯ୍ୟଟକମାନେ ପୋଖରା ଭ୍ରମଣ କରି କାର୍‌ରେ କାଠମାଣ୍ଡୁ ଫେରୁଥିବା ବେଳେ ବସ୍‌ଟି ଧାଡ଼ିଙ୍ଗ୍‌ରୁ କାଠମାଣ୍ଡୁ ଯାଉଥିଲା। ମୃତକମାନେ ହେଲେ ଉତ୍ତରପ୍ରଦେଶର ବିମଳଚନ୍ଦ୍ର ଅଗ୍ରଓ୍ବାଲ(୪୦), ସାଧନା ଅଗ୍ରଓ୍ବାଲ(୩୫), ସନ୍ଧ୍ୟା ଅଗ୍ରଓ୍ବାଲ (୪୦) ଏବଂ ରାକେଶ ଅଗ୍ରଓ୍ବାଲ (୫୫)। ସେମାନଙ୍କ ବ୍ୟତୀତ ନେପାଳୀ କାର୍‌ ଡ୍ରାଇଭର ଦିଲ୍‌ବାହାଦୁରଙ୍କ ମଧ୍ୟ ମୃତ୍ୟୁ ଘଟିଛି। ସ୍ଥାନୀୟ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

Share