ମହାକାଶ ଯାତ୍ରା କରି ଫେରିଲେ ୪ ସାଧାରଣ ନାଗରିକ, ସମୁଦ୍ରରେ ଓହ୍ଲାଇଲା ସ୍ପେସଏକ୍ସର ଡ୍ରାଗନ କ୍ୟାପସୁଲ

ଫ୍ଲୋରିଡା,୧୯ ।୯: ‘ସ୍ପେସଏକ୍ସ’ ୩ ଦିନ ପର୍ଯ୍ୟନ୍ତ ପୃଥିବୀ କକ୍ଷରେ ପରିକ୍ରମା କରିବା ପାଇଁ ୪ଜଣ ବ୍ୟକ୍ତି ଏକ ଘରୋଇ ଉଡାଣରେ ବାହାରିଥିଲେ । ଏବେ ଏହି ୪ ଜଣ ସାଧାରଣ ନାଗରିକ ପୃଥିବୀ ପରିକ୍ରମା କରି ସଫଳତାପୂର୍ବକ ଫେରି ଆସିଛନ୍ତି । ଏମାନଙ୍କୁ ଫ୍ଲୋରିଡାସ୍ଥିତ କେନେଡି ସ୍ପେଶ ସେଣ୍ଟରୁ ନେଇଯାଇଥିବା ସ୍ପେସଏକ୍ସର କ୍ରୁ ଡ୍ରାଗନ ରକେଟ ମଧ୍ୟ ୩ ଦିନ ପର୍ଯ୍ୟନ୍ତ ପୃଥିବୀ ପରିକ୍ରମା କରିବା ପରେ ସଫଳଭାବେ ସମୁଦ୍ରରେ ଓହ୍ଲାଇଛି । ସ୍ପେସଏକ୍ସ କହିଛି ୩ ଦିନ ପର୍ଯ୍ୟନ୍ତ ପୃଥିବୀର ପରିକ୍ରମା କରିବା ପରେ ସ୍ପେସଏକ୍ସର ଡ୍ରାଗନ ମହାକାଶ ଯାନରେ ଯାତ୍ରା କରିଥିବା ଇନସ୍ପିରେଶନ ୪ର ୪ ଜଣ ଯାତ୍ରୀ ଆମେରିକାର ଫ୍ଲୋରିଡା ଉପକୂଳ ଆଟଲାଣ୍ଟିକ ମହାସାଗରରେ ସୁରକ୍ଷିତ ଭାବେ ଓହ୍ଲାଇଛନ୍ତି । ଏମାନେ ପୃଥିବୀ କକ୍ଷରେ ପରିକ୍ରମା କରିଥିବା ପ୍ରଥମ ସାଧାରଣ ନାଗରିକ । ଇନସ୍ପିରେଶନ ୪ର ୪ ଜଣ ମହାକାଶ ଯାତ୍ରୀ ପାରାଶୁଟ ସହାୟତାରେ ଆମେରିକା ସମୟ ଅନୁସାରେ ଶନିବାର ସନ୍ଧ୍ୟା ୭ଟାରେ ଆଟଲାଣ୍ଟିକ ମହାସାଗରରେ ସୁରକ୍ଷିତ ଭାବେ ଓହ୍ଲାଇଥିଲେ । ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୬ରେ ଭାରତୀୟ ସମୟ ଭୋର ୫ଟା ୩୩ରେ ଏମାନେ ଆମେରିକାର ଫ୍ଲୋରିଡା ସ୍ଥିତ କେନେଡି ସ୍ପେଶ ସେଣ୍ଟରୁ ମହାକାଶ ଯାତ୍ରା କରିଥିଲେ । ଏହି ମହାକାଶ ଯାନ ପ୍ରଥମଥର ଲାଗି ସାଧାରଣ ନାଗରିକଙ୍କୁ ନେଇ ପୃଥିବୀ କକ୍ଷରେ ଲଞ୍ଚ ହୋଇଥିଲା । ଆଉ ଏହି ରକେଟରେ ଥିବା ସମସ୍ତ ଯାତ୍ରୀ ପେଶାରେ ମହାକାଶ ଯାତ୍ରୀ ନ ଥିଲେ ।

Share