ଖୋର୍ଦ୍ଧା,୨୬।୧୦(ପ୍ରଭାତ ପାଣିଗ୍ରାହୀ): ଦରମାରେ ସଂଶୋଧନ, ପଦୋନ୍ନତିର ସୁଯୋଗ, କ୍ଷେତ୍ର ପରିଦର୍ଶନ ପାଇଁ ଯାତାୟାତ ସୁବିଧା ସମେତ ୫ଦଫା ଦାବି ନେଇ ନିଖିଳ ଓଡ଼ିଶା ବ୍ଲକ ସମ୍ପ୍ରସାରଣ ଅଧିକାରୀ ମିଳିତ ସମନ୍ବୟ ପରିଷଦ (ଏଓବିଇଓ-ଜେସିସି)ର ଆହ୍ବାନ କ୍ରମେ ଖୋର୍ଦ୍ଧା ଜଲା ମିଳିତ ସମନ୍ବୟ ପରିଷଦ (ଡିଜେସିସି) ପକ୍ଷରୁ ସୋମବାର ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ଅନ୍ୟପକ୍ଷେ ୪ କ୍ୟାଡର ଅଧିକାରୀ ନିଜ ହକ, ସମ୍ମାନ ଏବଂ କର୍ମକ୍ଷେତ୍ରରେ ସୁରକ୍ଷା ପାଇଁ ଏକଜୁଟ ହୋଇଛନ୍ତି। ଦୀର୍ଘଦିନ ଧରି ବେତନଗତ ବୈଷମ୍ୟ, ପଦୋନ୍ନତିର ସୀମିତ ସୁଯୋଗ, ଅତିରିକ୍ତ କାର୍ଯ୍ୟଭାର, କ୍ଷେତ୍ର ପରିଦର୍ଶନରେ ଆର୍ଥିକ ସମସ୍ୟା ଏବଂ କର୍ମକ୍ଷେତ୍ରରେ ସୁରକ୍ଷାହୀନତା ଯୋଗୁ ଅଧିକାରୀମାନେ ଚାପରେ ରହୁଥିବା ପରିଷଦ ପକ୍ଷରୁ କୁହାଯାଇଛି। ତୁରନ୍ତ ସମସ୍ୟାର ସମାଧାନ ଦାବି କରି ପରିଷଦ ପକ୍ଷରୁ ସ୍ମାରକପତ୍ରରେ ୫ ପ୍ରମୁଖ ଦାବି ଉପସ୍ଥାପନ କରାଯାଇଛି।
ଦାବିଗୁଡ଼ିକ ମଧ୍ୟରେ ପ୍ରାରମ୍ଭିକ ବେତନସ୍ତରକୁ ପେଲେଭଲ-୧୦(ଗ୍ରେଡ ପେ ୪,୬୦୦ ଟଙ୍କା)କୁ ବୃଦ୍ଧି, ସରକାରୀ କ୍ଷେତ୍ର ପରିଦର୍ଶନ ପାଇଁ ପର୍ଯ୍ୟାପ୍ତ ଯାତାୟାତ ଖର୍ଚ୍ଚ କିମ୍ବା ଇନ୍ଧନ ସୁବିଧା, ଅଭିଜ୍ଞ ସମ୍ପ୍ରସାରଣ ଅଧିକାରୀଙ୍କୁ ବ୍ଲକ ଉନ୍ନୟନ ଅଧିକାରୀ(ବିଡିଓ) ପଦବୀକୁ ପଦୋନ୍ନତି ସୁଯୋଗ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସ୍ବାସ୍ଥ୍ୟ ସୁରକ୍ଷା ଏବଂ କର୍ମକ୍ଷେତ୍ରରେ ଆଇନଗତ ସୁରକ୍ଷା ସହ ଅତିରିକ୍ତ କିରାଣି କାର୍ଯ୍ୟଭାର ହ୍ରାସ ପାଇଁ ସ୍ବତନ୍ତ୍ର ସହାୟକ କର୍ମଚାରୀ ନିଯୁକ୍ତି ଅନ୍ତର୍ଭୁକ୍ତ ରହିଛି।
ଏହି ଅବସରରେ ଜିଲା ମୁଖ୍ୟ ସମନ୍ବୟକ ତଥା ସହ ଆବାହକ WEO ରଶ୍ମିରେଖା ଦାଶ, ବିଏସ୍ଏସ୍ଓ ସନ୍ଦୀପ କୁମାର ପାଣିଗ୍ରାହୀ, ଜିପିଡିଓ ଲାଲବାହାଦୁର ରଞ୍ଜିତ ଓ ଏମ୍ଆଇ ହିରଣ୍ୟ କୁମାର ଦାସଙ୍କ ସମେତ ଜିଲା ମିଳିତ ସମନ୍ବୟ ପରିଷଦର ସଦସ୍ୟମାନେ ଉପସ୍ଥିତ ଥିଲେ।
ଜନସେବାରେ ନିୟୋଜିତ ୪ କ୍ୟାଡର ଅଧିକାରୀଙ୍କ ନ୍ୟାଯ୍ୟ ଦାବିଗୁଡ଼ିକୁ ସରକାରଙ୍କ ନିକଟରେ ଉପସ୍ଥାପନ କରି ଶୀଘ୍ର ସମାଧାନ କରିବାକୁ ପରିଷଦ ଅନୁରୋଧ କରିଛି। ‘୪ କ୍ୟାଡର ଏକ ସ୍ବର, ଏକ ସଂକଳ୍ପ’ ଆହ୍ବାନ ସହ ଦାବି ପୂରଣ ପାଇଁ ଆଗାମୀ ଦିନରେ ଏକତା ଓ ସମନ୍ବିତ ପ୍ରୟାସ ଜାରି ରହିବ ବୋଲି ସହ ଆବାହକ ସୂଚନା ଦେଇଛନ୍ତି।