ମାଓବାଦୀ କ୍ୟାମ୍ପ ଠାବ, ମିଳିଲା ଗର୍ଭ ନିରୋଧକ ବଟିକା, କିଟ୍‌

ବଟିକା ଫୁଲବାଣୀ ଅଫିସ,୧୨।୬: କନ୍ଧମାଳ ଜିଲା ଗୋଚ୍ଛାପଡା ଥାନା ଅନ୍ତର୍ଗତ ସଶୀକେତା ଗ୍ରାମ ନିକଟ ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଠାବ କରାଯାଇଛି। ଜିଲା ପୋଲିସ ଏବଂ ଯବାନମାନେ କୋମ୍ବିଂ ଅପରେଶନ ଚଳାଇଥିବା ବେଳେ ଉକ୍ତ କ୍ୟାମ୍ପ ଠାବ କରିଥିଲେ। ସେଠାରୁ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ କରାଯାଇଛି। ସେଥିମଧ୍ୟରେ ୧୭ଟି ଜିଲେଟିନ ଷ୍ଟିକ, ହାତ ତିଆରି ଇନସାସ ମାଗାଜିନ, ବହୁତ ଅପ୍ରସ୍ତୁତ ମାଗାଜିନ, ୟୁନିଫର୍ମ, ଔଷଧ, ଗର୍ଭ ନିରୋଧକ ବଟିକା, ସୋଲାର ପ୍ଲେଟ, ମାଓବାଦୀ ପୁସ୍ତିକା ଆଦି ରହିଛି। ସଶୀକେତା ଗ୍ରାମଠାରୁ ପ୍ରାୟ ଦୁଇ କି.ମି. ଦୂର ଜଙ୍ଗଲ ମଧ୍ୟରେ ଥିବା ଏକ ଗୁମ୍ଫାରୁ ଏ ସବୁ ସାମଗ୍ରୀ ଜବତ ହୋଇଥିବା କନ୍ଧମାଳ ଏସ୍‌ପି ବିନିତ ଅଗ୍ରୱାଲ ରବିବାର ଜିଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏସ୍‌ପି ଆହୁରି କହିଛନ୍ତି ଯେ, ମାଓବାଦୀ ଚଳପ୍ରଚଳ ନେଇ ନିର୍ଭରଯୋଗ୍ୟ ସୂତ୍ରରୁ ଖବରପାଇ ପୋଲିସ, ଏସ୍‌ଓଜି ଏବଂ ଡିଭିଏଫ ଯବାନଙ୍କ ଦ୍ୱାରା ମିଳିତ କୋମ୍ବିଂ ଅପରେଶନ କରାଯାଇଥିଲା।ଗୁମ୍ଫା ଭିତରେ ମାଓବାଦୀଙ୍କ ବିଭିନ୍ନ ସାମଗ୍ରୀ ଲୁଚାଇ ରଖାଯାଇଥିବା ଦେଖିବାକୁ ମିଳିଥିଲା । ତେବେ ବିପୁଳ ପରିମାଣର ଗର୍ଭ ନିରୋଧକ ବଟିକା ଓ ଗର୍ଭ ପରୀକ୍ଷଣ କିଟ୍‌ ମିଳିବା ଘଟଣାରୁ ମାଓବାଦୀ କ୍ୟାମ୍ପଗୁଡ଼ିକରେ ମହିଳା କ୍ୟାଡରମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ସ୍ପଷ୍ଟ ହେଉଛି ବୋଲି ଏସ୍‌ପି କହିଛନ୍ତି। ମାଓବାଦୀମାନେ ନିକଟବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଅଛନ୍ତି। ହେଲେ କେହି ହାବୁଡ଼ରେ ପଡି ନାହାନ୍ତି। ଜିଲାରେ କେକେବିଏନ୍‌ ସଙ୍ଗଠନ କାର୍ଯ୍ୟ କରୁଥିବା ଏସ୍‌ପି ପ୍ରକାଶ କରିଛନ୍ତି। ଆଖପାଖ ଅଞ୍ଚଳରେ କୋମ୍ବିଂକୁ ଜୋରଦାର କରାଯାଇଛି ।