ଦେଶ ପାଇଁ ଲଢ଼ିଥିଲେ, ଏବେ କରୋନାକୁ ହରାଇଲେ

ମୁମ୍ବାଇ, ୧୬।୮: ଦେଶ ପାଇଁ ଲଢ଼ିଥିବା ଜଣେ ୯୮ ବର୍ଷ ବୟସ୍କ ନୌସେନା କର୍ମଚାରୀ ଏବେ କରୋନା ଲଢ଼େଇରେ ବିଜୟୀ ହୋଇଛନ୍ତି। ଏନେଇ ରବିବାର ଭାରତୀୟ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି। ସିପାହୀ ରାମୁ ଲଷ୍ମଣ ସକପାଳ ନେରୁଲରେ ବାସ କରନ୍ତି। ତାଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ତାଙ୍କର ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା। ଏହାପରେ ରାମୁଙ୍କୁ ଚିକିତ୍ସାଲାଗି ନାଭାଲ ହସ୍ପିଟାଲ ଜାହାଜ ଅଶ୍ୱିନୀରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା। ତାଙ୍କଠାରେ ନିମୋନିଆ ଲକ୍ଷଣ ମଧ୍ୟ ଦେଖାଦେଇଥିଲା। ତେବେ ଏବେ ସେ ସୁସ୍ଥ ହୋଇଥିବାରୁ ତାଙ୍କୁ ଘରକୁ ପଠାଇ ଦିଆଯାଇଥିବା ଆଇଏନ୍‌ଏସ୍‌ ଅଶ୍ୱିନୀ ପକ୍ଷରୁ କୁହାଯାଇଛି। ହସସ୍ପିଟାଲରୁ ଘରକୁ ଫେରିବା ସମୟରେ ରାମୁଙ୍କୁ ଫୁଲଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସୂଚନାଯୋଗ୍ୟ, ସ୍ଥଳସେନା, ବାୟୁସେନା, ନୌସେନା ତଥା ତଟରକ୍ଷୀ ବାହିନୀର ଯବାନଙ୍କୁ କରୋନା ସଂକ୍ରମଣ ହେଲେ ସେମାନଙ୍କୁ ଚିକିତ୍ସା ପାଇଁ ଆଇଏନ୍‌ଏସ୍‌ ଅଶ୍ୱିନୀରେ ଭର୍ତ୍ତି କରାଯାଉଛି।

Share