ହଠାତ୍ ରାସ୍ତାରେ ଅଚେତ ହୋଇ ପଡ଼ିଲେ ପୂର୍ବତନ ଉପରାଷ୍ଟ୍ରପତି, AIIMSରେ ଭର୍ତ୍ତି

ନୂଆଦିଲ୍ଲୀ,୧୧।୧୧: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡ଼ିଛି । ବୁଧବାର ସକାଳେ ମର୍ଣ୍ଣିଂ ୱାକ୍‌ରେ ଯାଇଥିବା ସମୟରେ ସେ ହଠାତ୍‌ ଅଚେତ ହୋଇ ତଳେ ପଡ଼ିଯାଇଥିଲେ । କିଛି ମିନିଟ୍‌ ପର୍ଯ୍ୟନ୍ତ ସେ ଚେତାଶୂନ୍ୟ ରହିଥିବା ଜଣାପଡ଼ିଛି । ଏହାପରେ ତାଙ୍କୁ ଦିଲ୍ଲୀ AIIMSରେ ଭର୍ତ୍ତି କରାଯାଇଛି ।

ଘଟଣା ପରେ ତାଙ୍କ ସହ ଥିବା ସୁରକ୍ଷାକର୍ମୀମାନେ ତାଙ୍କୁ PCR ଗାଡ଼ିରେ ଘରକୁ ନେଇଥିଲେ । ପରେ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଲିଭର ଆଣ୍ଡ ବିଲିଆରି ସାଇନ୍ସେସ୍‌ (ILBS)ର ଡାକ୍ତରୀ ଟିମ୍‌ ଏବଂ AIIMSର ବରିଷ୍ଠ ଡାକ୍ତର ସନ୍ଦୀପ ସେଠ୍‌ ସେଠାରେ ପହଞ୍ଚି ପ୍ରାଥମିକ ଚିକିତ୍ସା କରିଥିଲେ । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦେଖି ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ AIIMS ନିଆଯାଇଥିଲା।ବର୍ତ୍ତମାନ ସୁଦ୍ଧା AIIMS ପ୍ରଶାସନ ପକ୍ଷରୁ ଧନଖଡ଼ଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ କୌଣସି ଅଧିକାରିକ ମେଡିକାଲ ବୁଲେଟିନ୍‌ ଜାରି କରାଯାଇନାହିଁ । ଏକ ରିପୋର୍ଟ ଅନୁସାରେ, ତାଙ୍କୁ AIIMSର କାର୍ଡିଓ-ନ୍ୟୁରୋ ସେଣ୍ଟରରେ ଭର୍ତ୍ତି କରାଯାଇଛି । ସେଠାରେ କାର୍ଡିଓଲୋଜି ବିଭାଗର ଡାକ୍ତରମାନଙ୍କ ତତ୍ତ୍ୱାବଧାନରେ ତାଙ୍କ ଚିକିତ୍ସା ଚାଲିଛି।

ଜଗଦୀପ ଧନଖଡ଼ଙ୍କ ସ୍ୱାସ୍ଥ୍ୟ ପୂର୍ବରୁ ମଧ୍ୟ ବିଗିଡ଼ିଥିଲା। ଜାନୁଆରୀ ୧୦ ତାରିଖରେ ସେ ୱାଶରୁମ୍‌ରେ ଦୁଇଥର ଅଚେତ ହୋଇପଡ଼ିଥିଲେ। ଏହାପରେ ତାଙ୍କୁ ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ୍‌ (AIIMS)ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆବଶ୍ୟକୀୟ ପରୀକ୍ଷା ସହ ତାଙ୍କର MRI ସ୍କାନ୍‌ ମଧ୍ୟ କରାଯାଇଥିଲା। ଲଗାତାର ଖରାପ ହେଉଥିବା ସ୍ୱାସ୍ଥ୍ୟାବସ୍ଥା ଏବଂ ଡାକ୍ତରଙ୍କ ପରାମର୍ଶକୁ ଆଧାର କରି ଧନଖଡ଼ ଭାରତର ୧୪ତମ ଉପରାଷ୍ଟ୍ରପତି ପଦରୁ ହଠାତ୍‌ ଇସ୍ତଫା ଦେଇଥିଲେ।

ସେ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ପୋଷ୍ଟ କରି କହିଥିଲେ ଯେ, ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେବା ଏବଂ ଡାକ୍ତରୀ ପରାମର୍ଶ ପାଳନ କରିବା ପାଇଁ ସେ ସମ୍ବିଧାନର ଅନୁଚ୍ଛେଦ ୬୭(ଏ) ଅନୁସାରେ ତତ୍କାଳ ପ୍ରଭାବରୁ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଉଛନ୍ତି।

 

Dharitri – Odisha’s No.1 Odia Daily

Share