ମୁକ୍ତ ହେବାକୁ ଯାଉଛନ୍ତି ରାଷ୍ଟ୍ରପତିଙ୍କୁ ଗୁଳି କରିଥିବା ଶୁଟର

ଓ୍ବାଶିଂଟନ,୨୮।୯: ୪୦ ବର୍ଷ ତଳେ ଆମେରିକାର ରାଷ୍ଟ୍ରପତି ରୋନାଲ୍ଡ ରେଗାନଙ୍କୁ ଗୁଳି କରିଥିବା ଶୁଟର ଜନ ହିଙ୍କଲେ ଆସନ୍ତା ବର୍ଷ ଜୁନରୁ ସମ୍ପୂର୍ଣ୍ଣ ମୁକ୍ତ ହେବାକୁ ଯାଉଛନ୍ତି। ୧୯୮୧ ମସିହା ମାର୍ଚ୍ଚ ୩୧ ତାରିଖରେ ଓ୍ବାଶିଂଟନର ଏକ ହୋଟେଲ ବାହାରେ ରାଷ୍ଟ୍ରପତି ରେଗାନଙ୍କୁ ଗୁଳି କରିଥିଲେ ହିଙ୍କଲେ। ଏଥିରେ ଅନ୍ୟ ୩ ଜଣ ଆହତ ହୋଇଥିଲେ। ଘଟଣାର ତଦନ୍ତରୁ ଜଣାପଡ଼ିଥିଲା, ଫିଲ୍ମ ‘ଟାକ୍ସି ଡ୍ରାଇଭର’ ଦେଖି ଅଭିନେତ୍ରୀ ଜୋଡି ଫୋଷ୍ଟରଙ୍କ ପାଇଁ ହିଙ୍କଲେ ଅବସାଦଗ୍ରସ୍ତ ହୋଇପଡ଼ିଥିଲେ। ଏଣୁ ଫୋଷ୍ଟରଙ୍କୁ ଇମ୍ପ୍ରେସ କରିବା ପାଇଁ ସେ ରାଷ୍ଟ୍ରପତିଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ।

ଗୁଳିକାଣ୍ଡ ପରଠାରୁ ତାଙ୍କୁ ଓ୍ବାଶିଂଟନ ସାଇକଆଟ୍ରିକ ହସ୍ପିଟାଲରେ ରଖାଯାଇଥିଲା। ୨୦୧୬ରେ ତାଙ୍କୁ କଡ଼ା ସର୍ତ୍ତରେ ଛଡ଼ାଯାଇଥିଲା। ମୁଖ୍ୟ ସର୍ତ୍ତ ଥିଲା ସେ ତାଙ୍କ ମା’ଙ୍କ ଘର ଭର୍ଜିନିଆର ଓ୍ବିଲିୟମବର୍ଗ ଠାରୁ ୮୦ କିମିରୁ ଅଧିକ ଦୂର ଯାଇପାରିବେ ନାହିଁ। ଆଉ ବର୍ତ୍ତମାନ ଓ ପୂର୍ବତନ ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି ରହୁଥିବା କୌଣସି ଅଞ୍ଚଳକୁ ସେ ଯାଇପାରିବେ ନାହିଁ।

କୋର୍ଟଙ୍କ ଡକ୍ୟୁମେଣ୍ଟ ଅନୁଯାୟୀ, ଜଷ୍ଟିସ ବିଭାଗ ଓ ହିଙ୍କଲେଙ୍କ ଓକିଲଙ୍କ ମଧ୍ୟରେ ହୋଇଥିବା ଚୁକ୍ତିରେ ସୋମବାର ଜଣେ ଫେଡେରାଲ ଜଜ୍‌ ମୋହର ମାରିଛନ୍ତି। ଏହାର ଅର୍ଥ ଆସନ୍ତା ବର୍ଷ ଜୁନରୁ ତାଙ୍କ ଉପରେ କୌଣସି ସର୍ତ୍ତ ଲାଗୁ ହେବ ନାହିଁ।

Share