ରାଜପାକ୍‌ସେ ଭାରତରେ ଶରଣ ନେଇଥିବା ଗୁଜବକୁ ଖଣ୍ଡନ କଲା ଉଚ୍ଚାୟୁକ୍ତ

କଲମ୍ବୋ,୧୧।୫: ଶ୍ରୀଲଙ୍କାରେ ଆର୍ଥିକ ଓ ରାଜନୈତିକ ସଙ୍କଟ ଜାରି ରହିଛି। ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ରହିଥିବା ବେଳେ ମହିନ୍ଦା ରାଜପାକ୍‌ସେ ସୋମବାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଇତିମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍‌ସେ ଏବଂ ତାଙ୍କ ପରିବାର ଭାରତରେ ଆଶ୍ରୟ ନେଇଛନ୍ତି ବୋଲି ଏକ ଗୁଜବ ପ୍ରଚାର ହେଉଛି। ହେଲେ ଏହି ଗୁଜବକୁ ଖଣ୍ଡନ କରିଛନ୍ତି ଶ୍ରୀଲଙ୍କାରେ ଥିବା ଭାରତୀୟ ଉଚ୍ଚାୟୁକ୍ତ। ସୋସିଆଲ ମିଡିଆରେ ଏକ ବୟାନ ଜାରି କରି ଉଚ୍ଚାୟୁକ୍ତ ଏହି ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। ଭାରତୀୟ ଉଚ୍ଚାୟୁକ୍ତ କହିଛନ୍ତି ଯେ, ନିକଟରେ ଗଣମାଧ୍ୟମ ତଥା ସୋସିଆଲ ମିଡିଆରେ ଏକ ଗୁଜବ ପ୍ରଚାରିତ ହେଉଛି ଯେ, ଜଣେ ନେତା ଏବଂ ତାଙ୍କ ପରିବାର ହେଲିକପ୍ଟର ଯୋଗେ ଆଶ୍ରୟ ନେବାକୁ ଭାରତ ଯାଇଛନ୍ତି। ହେଲେ ଏଗୁଡିକ ସମ୍ପୂର୍ଣ୍ଣ ମିଥ୍ୟା ଗୁଜବ ଏବଂ ମିଥ୍ୟା ରିପୋର୍ଟ ବୋଲି ଉଚ୍ଚାୟୁକ୍ତ ଦୃଢ଼ ଭାବେ ଅସ୍ବୀକାର କରିଛନ୍ତି। ସେମାନଙ୍କ ଭିତରେ କୌଣସି ସତ୍ୟତା ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ବର୍ତ୍ତମାନ ସରକାର ବିରୋଧୀ ପ୍ରଦର୍ଶନ ତୀବ୍ର ହେବାରେ ଲାଗିଛି।

Share