ଫେରାର ପୂର୍ବତନ ସରପଞ୍ଚ ଗିରଫ

ଧାମନଗର,୭ା୫(ଡି.ଏନ.ଏ.): ପଞ୍ଚାୟତ ନିର୍ବାଚନ ସମୟରେ ବୁଥ୍‌ ରିଗିଂ ଅଭିଯୋଗରେ ଭଦ୍ରକ ଜିଲା ଧାମନଗର ଥାନା ପୋଲିସ ଫେରାର ଥିବା ପଧାନୀ ପଞ୍ଚାୟତର ପୂର୍ବତନ ସରପଞ୍ଚ କ୍ଷୀରୋଦ କୁମାର ଜେନାଙ୍କୁ ଶୁକ୍ରବାର ଗିରଫ କରିଛି। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକମାନେ ପଧାନୀ ପଞ୍ଚାୟତ ଦାସପାରି ବୁଥ୍‌ରେ ପଶି ମନଇଚ୍ଛା ଭୋଟ୍‌ ଦେଇଥିବାର ଭିଡିଓ ସେହି ସମୟରେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ସହ ଏ ସମ୍ପର୍କିତ ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଜିଲା ପ୍ରଶାସନ ପକ୍ଷରୁ ଉକ୍ତ ବୁଥ୍‌ରେ ସାନି ମତଦାନ କରାଯାଇଥିଲା। ବୁଥ୍‌ ରିଗିଂ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ କ୍ଷୀରୋଦଙ୍କ ସମେତ ୫ ଜଣଙ୍କ ନଁାରେ ମାମଲା (ନଂ.୮୧/୨୨) ରୁଜୁ କରିଥିଲା। ଗିରଫ କ୍ଷୀରୋଦଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟମାନେ ଫେରାର ଅଛନ୍ତି।