ସୁନ୍ଦରଗଡ,୨୯।୯(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ବିଚାରପତି ମଙ୍ଗଳବାର ଏକ ଲାଞ୍ଚ ମାମଲାର ଶୁଣାଣି କରିଛନ୍ତି। ଏଥିରେ ରାଉରକେଲା ପାନପୋଷ ଉପଜିଲାପାଳଙ୍କ କାର୍ଯ୍ୟାଳୟର ରେଭେନ୍ୟୁ ଅଫିସରଙ୍କ ପୂର୍ବତନ ଜୁନିୟର କ୍ଲର୍କ-କମ-ବେଞ୍ଚ କ୍ଲର୍କ ତଥା ଅବସରପ୍ରାପ୍ତ କର୍ମଚାରୀ କୁଞ୍ଜ ବିହାରୀ ଜେନା (୭୫)ଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତି। ଓଡିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କ ବିରୁଦ୍ଧରେ ଏକ ମାମଲାରେ ଚାର୍ଜସିଟ ହୋଇଥିଲା। ଜମି ବିବାଦ ସମ୍ବନ୍ଧୀୟ ଏକ ମାମଲାର ପରବର୍ତ୍ତୀ ଶୁଣାଣି ତାରିଖ ଜଣାଇବା ଏବଂ ମାମଲାରେ ସହାୟତା କରିବା ପାଇଁ ଅଭିଯୋଗକାରୀଙ୍କଠାରୁ ଅଭିଯୁକ୍ତ କିରାଣୀ ଜେନା ୫୦୦ଟଙ୍କା ଲାଞ୍ଚ ଦାବି କରି ଗ୍ରହଣ କରିଥିବା ଅଭିଯୋଗ ତାଙ୍କ ବିରୋଧରେ ଥିଲା। ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ସମ୍ବଲପୁର ଭିଜିଲାନ୍ସ ଥାନାରେ କେଶ ନମ୍ବର ୨୫/ତା୨୨/୬/୨୦୦୩ରେ ଏକ ମାମଲା ରୁଜୁ ହୋଇଥିଲା।
ସୁନ୍ଦରଗଡ଼ର ଭିଜିଲାନ୍ସ କୋର୍ଟ ର ସ୍ବତନ୍ତ୍ର ବିଚାରପତି ଏହି ମାମଲାରେ କୁଞ୍ଜ ବିହାରୀ ଜେନାଙ୍କୁ ଦୋଷୀ ସାବ୍ୟସ୍ତ କରି ୧ ବର୍ଷର କଠୋର କାରାଦଣ୍ଡ ଏବଂ ୫ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୨ମାସ ଜେଲଦଣ୍ଡ ପାଇଁ କୋର୍ଟ ତାଙ୍କ ରାୟରେ ଆଦେଶ କରିଛନ୍ତି।
କୁଞ୍ଜ ବିହାରୀ ଜେନା ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ପେନସନ ବନ୍ଦ କରିବା ପାଇଁ ଓଡ଼ିଶା ଭିଜିଲାନ୍ସ ବର୍ତ୍ତମାନ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟକୁ ପ୍ରସ୍ତାବ ପଠାଇବ ବୋଲି କୋର୍ଟ ତାଙ୍କ ରାୟରେ ଆଦେଶ କରିଛନ୍ତି। ପୂର୍ବତନ ଭିଜିଲାନ୍ସ ଇନିସପେକ୍ଟର ସ୍ବରୂପ କୁମାର ପରିଡା ତଦନ୍ତକାରୀ ଅଧିକାରୀ ରହିଥିଲା ବେଳେ ସରକାରଙ୍କ ତରଫରୁ ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଶ୍ୟାମ ସୁନ୍ଦରଗଡ ମିଶ୍ର ଏହି ମାମଲାକୁ ପରିଚାଳନା କରିଥିଲେ।