ନିଲମ୍ବିତ ହେଲେ ତତ୍କାଳୀନ ପିଇଓ

ନୀଳଗିରି, ୨୨।୮(ପ୍ରଶାନ୍ତ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁଇଟି ଘରକୁ ଏକ ଦମ୍ପତି ହାତେଇବା ଘଟଣା ନେଇ ବାଲେଶ୍ୱର ଜିଲାପାଳଙ୍କଠାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ତଦନ୍ତ ହୋଇ ତତ୍କାଳୀନ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଣି(ପିଇଓ) ଶାନ୍ତିଲତା ନାୟକଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ଜିଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି।
ନୀଳଗିରି ବ୍ଲକ ବରହମପୁର ପଞ୍ଚାୟତ ଅଧୀନ ବରହମପୁର ଗ୍ରାମର ପ୍ରତାପ ବେହେରାଙ୍କ ପୁଅ ପ୍ରଦୀପ ବେହେରା ନିଜ ଆଧାରକାର୍ଡ଼ ଦେଇ ନିଜ ନାମରେ ୨୦୧୭-୧୮ ଆର୍ଥତ୍କ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ପାଇଁ କାର୍ଯ୍ୟାଦେଶ ପାଇ ଘର ସମ୍ପୂର୍ଣ୍ଣ କରି ସମସ୍ତ ବିଲ୍‌ ଉଠାଇଥିଲେ। ପୁଣି ଉକ୍ତ ପଞ୍ଚାୟତ ଭୋଗଦିଆଠାରେ ଚଞ୍ଚକତା କରି ନିଜ ସ୍ତ୍ରୀ ଅଞ୍ଜଳିଙ୍କ ଆଧାରକାର୍ଡ଼ ଦେଇ ୨୦୨୧-୨୨ ଆର୍ଥତ୍କବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ୟ ଏକ ଘର ନେବାରେ ସକ୍ଷମ ହୋଇଥିଲେ। ତେବେ ଗୋଟିଏ ପରିବାରର ସ୍ବାମୀ ଓ ସ୍ତ୍ରୀ ଦୁଇ ଦୁଇଟି ଘର ହାତେଇଥିବା ଘଟଣାରେ ବିଧାୟକ ଇଂ. ସୁକାନ୍ତ କୁମାର ନାୟକ, ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ଓ ଗ୍ରାମବାସୀ ବାଲେଶ୍ୱର ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।