ରାହୁଲଙ୍କୁ ପ୍ରଶଂସାରେ ପୋତିଲେ ପାକିସ୍ତାନର ପୂର୍ବତନ ମନ୍ତ୍ରୀ, ଶେୟାର କଲେ ଏଭଳି ଭିଡିଓ

ନୂଆଦିଲ୍ଲୀ,୨।୫: ଦେଶରେ ଲୋକ ସଭା ନିର୍ବାଚନ ୨୦୨୪କୁ ନେଇ ରାଜନୈତିକ ଉଷ୍ମତା ମଧ୍ୟରେ ପାକିସ୍ତାନର ଜଣେ ପୂର୍ବତନ ମନ୍ତ୍ରୀ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ପ୍ରଶଂସା କରିଛନ୍ତି। ଇମରାନ ଖାନ୍‌ଙ୍କ କ୍ୟାବିନେଟ୍‌ର ପୂର୍ବତନ ମନ୍ତ୍ରୀ ଚୌଧୁରୀ ଫଓ୍ବାଦ୍‌ ହୁସେନ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ରାହୁଲଙ୍କ ଏକ ଭିଡିଓ ଶେୟାର କରି ‘ରାହୁଲ ଅନ୍‌ ଫାୟାର…’ ବୋଲି ଲେଖିଛନ୍ତି। ଉକ୍ତ ଭିଡିଓକୁ ନେଇ ଭାଜପା କଂଗ୍ରେସକୁ ଟାର୍ଗେଟ କରୁଛି।

ଏକ୍ସରେ ଏକ ପୋଷ୍ଟ କରି ଭାଜପା ଆଇଟି ସେଲ୍‌ ମୁଖ୍ୟ ଅମିଲ ମାଳବୀୟ କହିଛନ୍ତି, ଇମରାନ ଖାନ୍‌ କ୍ୟାବିନେଟ୍‌ରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ କାମ କରିଥିବା ଚୌଧୁରୀ ଫଓ୍ବାଦ୍‌ ରାହୁଲଙ୍କୁ ପ୍ରୋତ୍ସାହିତ କରୁଛନ୍ତି। କ’ଣ କଂଗ୍ରେସ ପାକିସ୍ତାନରେ ନିର୍ବାଚନ ଲଢ଼ିବାର ଯୋଜନା କରୁଛି? ଏକ ଘୋଷଣାପତ୍ରରୁ ଯେଉଁଥିରେ ମୁସଲମାନ ଲିଗ୍‌ର ଛାପ ରହିଛି, ସୀମା ଆରପଟୁ ଜୋରଦାର ସମର୍ଥନ ଯାଏ ପାକିସ୍ତାନ ସହ କଂଗ୍ରେସର ମେଣ୍ଟ ଏହାଠାରୁ ଅଧିକ ସ୍ପଷ୍ଟ ହୋଇପାରିବ ନାହିଁ। ପୋଷ୍ଟରେ ମାଳବୀୟ ଫଓ୍ବାଦ୍‌ଙ୍କ ପୋଷ୍ଟର ସ୍କ୍ରିନଶଟ୍‌ ଶେୟାର କରିଛନ୍ତି।

ତେବେ ଫଓ୍ବାଦ୍‌ ରାହୁଲଙ୍କ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରୁଛନ୍ତି। ଭିଡିଓରେ ରାହୁଲ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ଆମନ୍ତ୍ରିତ ଲୋକଙ୍କୁ ନେଇ ଭାଜପା ସରକାରକୁ ଟାର୍ଗେଟ କରୁଥିବା ଦେଖାଯାଇଛି।

Share