ବଲାଙ୍ଗୀର,୭ା୮(ସୁନିଲ କୁମାର ମହାନ୍ତି): ପ୍ରାଥମିକ କୃଷି ସମବାୟ ସମିତି (PACS)ଗୁଡ଼ିକରେ ଆର୍ଥିକ ଅନିୟମିତତା ବିରୋଧରେ ବଡ଼ ଧରଣର ପଦକ୍ଷେପ ନେଇଛି ଓଡ଼ିଶା ଭିଜିଲାନ୍ସ । ବଲାଙ୍ଗୀର ଜିଲା ପାଟଣାଗଡ଼ ସହକାରୀ ସମିତି ସହକାରୀ ନିବନ୍ଧକ (ARCS) ସର୍କଲ ଅଧୀନ ସୁନାମୁଦି PACS ଏବଂ ତାମିଆ PACSର ପୂର୍ବତନ ସମ୍ପାଦକ ମୌସମ ବେହେରାଙ୍କୁ ଭିଜିଲାନ୍ସ ଗିରଫ କରିଛି। ସମିତିର ୨୨ ଲକ୍ଷ ୧୯ ହଜାର ୬୩୬ ଟଙ୍କା ପାଣ୍ଠି ଆତ୍ମସାତ୍ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯିବା ସହ ବଲାଙ୍ଗୀର ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତିଙ୍କ ଅଦାଲତରେ ହାଜର କରାଯାଇଛି।
ତଦନ୍ତରୁ ଜଣାପଡ଼ିଛି ଯେ, ୨୦୨୪-୨୫ ଓ ୨୦୨୫-୨୬ ଆର୍ଥିକ ବର୍ଷରେ ମୌସମ ବେହେରା ଅମାନତ (ଡିପୋଜିଟ) ରାଶି ଫେରସ୍ତ ହୋଇଥିବାର ମିଥ୍ୟା ଏଣ୍ଟ୍ରି କରିବା ସହ ସାର ବିକ୍ରିରୁ ମିଳିଥିବା ଅର୍ଥକୁ ଉଭୟ PACSର କ୍ୟାଶ କ୍ରେଡିଟ (C.C.) ସାର ଋଣ ଖାତାରେ ଜମା ନକରି ଆତ୍ମସାତ୍ କରିଥିଲେ। ଏହି ଉପାୟରେ ସେ ମୋଟ ୨୨ ଲକ୍ଷ ୧୯ ହଜାର ୬୩୬ ଟଙ୍କା ହଡ଼ପ କରିଥିବା ଭିଜିଲାନ୍ସ ତଦନ୍ତରେ ସାମ୍ନାକୁ ଆସିଛି।
ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ଥାନା କେସ ନଂ-୧୧, ତାରିଖ ୦୫ ଅଗଷ୍ଟ ୨୦୨୬ ଅନୁସାରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୧୩(୨) ସହ ୧୩(୧)(ଏ) ଏବଂ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୩୧୬(୫) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ଘଟଣାର ଅଧିକ ତଦନ୍ତ ଜାରି ରହିଛି।