ପୂର୍ବତନ ଏମ୍‌ପି ତ୍ରିଲୋଚନ କାନୁନ୍‌ଗୋଙ୍କ ଶେଷକୃତ୍ୟ ସମ୍ପନ୍ନ

କଣ୍ଟାପଡ଼ା,୨୩।୪(ଡି.ଏନ୍‌.ଏ.): ଜଗତ୍‌ସିଂହପୁରର ପୂର୍ବତନ ଏମ୍‌ପି, ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଶିକ୍ଷାବିତ୍‌ ତ୍ରିଲୋଚନ କାନୁନ୍‌ଗୋଙ୍କର ଶନିବାର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମସ୍ତିଷ୍କ ଆଘାତରେ ଆକ୍ରାନ୍ତ ହୋଇ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ସକାଳେ ତାଙ୍କର ପରଲୋକ ହୋଇଥିଲା। ଶେଷଦର୍ଶନ ପାଇଁ ତାଙ୍କ ମରଶରୀରକୁ ବିଧାନସଭା, କଟକ ମହାନଗର ନିଗମ କାର୍ଯ୍ୟାଳୟ ଓ କଟକ ଜିଲା କଣ୍ଟାପଡ଼ା ବ୍ଲକ ଅଡ଼ଶପୁରସ୍ଥିତ ଉଦୟନାଥ ସ୍ବୟଂଶାସିତ ମହାବିଦ୍ୟାଳୟକୁ ନିଆଯାଇଥିଲା। ଶନିବାର ପୂର୍ବାହ୍ନ ୧୦ଟାରେ ମହାବିଦ୍ୟାଳୟ ପରିସରରୁ ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ କଣ୍ଟାପଡ଼ା ବ୍ଲକ ଅଧୀନ ବ୍ରାହ୍ମଣବାଟୀ ପଞ୍ଚାୟତର ବଡ଼ମୂଳାଇ ଗ୍ରାମକୁ ନିଆଯାଇଥିଲା। ସେଠାରେ କଟକ ମହାନଗର ନିଗମ ମେୟର ସୁବାସ ସିଂ, ନିଆଳି ବିଧାୟକ ପ୍ରମୋଦ ମଲ୍ଲିକ, ଭୁବନେଶ୍ୱର(ଉତ୍ତର) ବିଧାୟକ ସୁଶାନ୍ତ ରାଉତ, ଯଜ୍ଞେଶ୍ୱର ବାବୁ, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ଏସ୍‌ଭି ନିର୍‌ତାର ନିର୍ଦ୍ଦେଶକ ଡା. ପତିତ ପାବନ ମହାନ୍ତି, ଭାଜପା ନେତା ଛବି ମଲ୍ଲିକ, ଖବରଦାତା ରବି ଦାସ, ପ୍ରସନ୍ନ ମହାନ୍ତିଙ୍କ ସମେତ ବହୁ ରାଜନେତା ଯୋଗଦେଇ ତାଙ୍କର ଶେଷଦର୍ଶନ କରିଥିଲେ। ପରେ ଜିଲାପାଳ ଚୟନୀ, କଟକ ସଦର ଉପଖଣ୍ଡ ଅଧିକାରୀ ରଶ୍ମିରଞ୍ଜନ ସାହୁ, ଗୋବିନ୍ଦପୁର ଥାନାଧିକାରୀ ରବିନାରାୟଣ ବେହେରାଙ୍କ ଉପସ୍ଥିତିରେ ବଡ଼ମୂଳାଇସ୍ଥିତ ଶ୍ମଶାନରେ କାନୁନ୍‌ଗୋଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯାଇଥିଲା। ଏହାପରେ ତାଙ୍କ ପୁଅ ଶୁଭଦର୍ଶନ ମୁଖାଗ୍ନି ଦେଇଥିଲେ।
ସୂଚନାଯୋଗ୍ୟ, ୧୯୪୦ ସେପ୍ଟେମ୍ବର ୧୨ରେ ବଡ଼ମୂଳାଇ ଗ୍ରାମରେ ତ୍ରିଲୋଚନ ଜନ୍ମଗ୍ରହଣ କରିଥିଲେ। କଟକ ପୌର ପାଳିକାର ଅଧ୍ୟକ୍ଷ ଓ ରାଜ୍ୟ ଅର୍ଥ କମିଶନ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ସେ ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏଥିସହ ସେ ଜଗତ୍‌ସିଂହପୁର ଲୋକ ସଭା ଆସନରୁ ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ।