ରାୟଗଡ଼ା,୯।୯(ଆଶିଷ ରଞ୍ଜନ ପଣ୍ଡା)-ପୂର୍ବତନ ରାଜ୍ୟ ସଭା ସଦସ୍ୟ ତଥା ଦକ୍ଷିଣ ଓଡ଼ିଶାର ଟାଣୁଆ ନେତା ଏନ୍. ଭାସ୍କର ରାଓ ଓ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେମାନଙ୍କ ସହ ଦଳର ବହୁ ନେତା ଓ କର୍ମୀ ମଧ୍ୟ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏ ନେଇ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଭାସ୍କର ରାଓ ସୂଚନା ଦେଇଛନ୍ତି।
ଗତ ୪ ତାରିଖରେ ରାୟଗଡ଼ା ବିଜେଡି ଜିଲା ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାମ ଘୋଷଣା ପରେ ଜିଲା ବିଜେଡିରେ ତେଜିଥିଲା ବିବାଦ। ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଏହି ନିଷ୍ପତ୍ତିକୁ ଜିଲାରେ ବରିଷ୍ଠ ନେତା, କର୍ମୀ ଗ୍ରହଣ କରି ନ ଥିଲେ। ଏ ନେଇ ଜିଲାର ବହୁ ନେତା ଓ କର୍ମୀ ଭାସ୍କର ରାଓଙ୍କ ଘରେ ବୈଠକ କରିଥିଲେ ା କର୍ମୀଙ୍କ ନିଷ୍ପତ୍ତି ପ୍ରକାରେ ଭାସ୍କର ରାଓଙ୍କ ସହ ଜିଲାର ବହୁ ବରିଷ୍ଠ ନେତା ଓ କର୍ମୀ ମଙ୍ଗଳବାର ବିଧିବଦ୍ଧ ଭାବେ ଦଳର ପ୍ରାଥମିକ ସଦସ୍ୟ ଛାଡ଼ିବା ସାଙ୍ଗକୁ ପଦପଦବୀରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଏଭଳିକି ୪ ତାରିଖରେ କାର୍ଯ୍ୟକାରୀ ସଭାପତି ପଦ ପାଇଥିବା ଜିଲା ପରିଷଦ ପୂର୍ବତନ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ୩ ଜିଲା ପରିଷଦ ସଭ୍ୟ, ୩ବ୍ଲକ ଅଧ୍ୟକ୍ଷଙ୍କ ସମେତ କେସିସି ବ୍ୟାଙ୍କ ନିର୍ଦ୍ଦେଶକ, ଆର୍ଏମ୍ସି ସଭାପତି, ଲ୍ୟାମ୍ପସ ସଭାପତି ଓ ଅନ୍ୟମାନେ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସେମାନେ ହେଲେ ରାଇସିଂ ବିଡ଼ିକା, ଭି.ଗୌରୀ ଜୟନ୍ତୀ, ଟୁନି ହୁଇକା, ହରପ୍ରସାଦ ହେପୃକା, କଣ୍ଠ ମାଝି, ସନ୍ଧ୍ୟାରାଣୀ ପୁଲାକା, ପ୍ରଶାନ୍ତ କୁଲେସିକା, ମଣିମାଳା ଶବର, ପତି କ୍ରାସ୍କା, ତିରୁପତି ବାନାଗାଡ଼ି, ବିନାୟକ କର, ଅମିୟ ସ୍ବାଇଁ, ବିଜୁ ଯୁବ ଜନତା ଦଳ ଜିଲା ସଭାପତି ଅବିନାଶ ବିଶୋଇ, ଚନ୍ଦ୍ରକାନ୍ତ ସାମଲ, ଅମିତ ନାୟକ, ଶ୍ରୀକାନ୍ତ ଚୌଧୁରୀଙ୍କ ସମେତ ପ୍ରାୟ ୪୦ଜଣ ବିଜେଡିର ବିଭିନ୍ନ ପଦବୀରୁ ଇସ୍ତଫା ଦେବା ସହ ବହୁ ସଂଖ୍ୟାରେ କର୍ମୀ ଦଳର ପ୍ରାଥମିକ ସଦସ୍ୟତା ଛାଡ଼ିଛନ୍ତି।
ଏହି ଅବସରରେ ଖବରଦାତା ସମ୍ମିଳନୀରେ ଭାସ୍କର କହିଛନ୍ତି, ୧୯୭୪ ମସିହାରୁ ବିଜୁ ପଟ୍ଟନାୟକଙ୍କ ଆବାହନରେ ଜନତା ଦଳରେ ଯୋଗଦେଇ ରାଜନୀତି ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରାରମ୍ଭରୁ ବିଜେଡିରେ ରହି କଂଗ୍ରେସର ଅଭେଦ୍ୟ ଗଡ଼ ଅବିଭକ୍ତ କୋରାପୁଟ ଜିଲାରେ ବିଜେଡିକୁ ସଶକ୍ତ କରିଥିଲେ। ରାଜ୍ୟ ସଭା ସଦସ୍ୟ ସହ ଦଳୀୟ ପଦବୀରେ ରହି ନିଷ୍ଠାର ସହିତ ଦଳ ପାଇଁ କାମକରି ନିଜର ଦୁଇ ଭାଇଙ୍କୁ ହରାଇବା ସମେତ ବହୁ କିଛି ହରାଇଛନ୍ତି। ଗତ କିଛି ବର୍ଷ ହେବ ରାଜ୍ୟସ୍ତରୀୟ ନେତାମାନେ ଭାସ୍କର, ପୂର୍ବତନ ମନ୍ତ୍ରୀ ହିମିରିକାଙ୍କ ସମେତ ଜିଲାର ବହୁ ବରିଷ୍ଠ ନେତାଙ୍କୁ ଦଳରେ ଅଣଦେଖା କରିବା ଅତି ଦୁଃଖଦ ବୋଲି ଭାସ୍କର କହିଛନ୍ତି।
ପ୍ରକାଶ ଥାଉକି,୨୦୧୯ ସାଧାରଣ ନିର୍ବାଚନ ପରଠାରୁ ଜିଲା ବିଜେଡିରେ ଗୋଷ୍ଠୀ ବିବାଦ ଉଗ୍ର ରୂପ ନେଇଥିଲା। ଏହି ଗୋଷ୍ଠୀ ବିବାଦ କାରଣରୁ ୨୦୧୯ରେ ରାୟଗଡ଼ା ନିର୍ବାଚନମଣ୍ଡଳୀ ସମେତ କୋରାପୁଟ ଲୋକ ସଭା ଆସନ ମଧ୍ୟ ବିଜେଡି ହାତରୁ ଚାଲିଯାଇଥିଲା। ପରବର୍ତ୍ତୀ ସମୟରେ ୨୦୨୪ ସାଧାରଣ ନିର୍ବାଚନରେ ମଧ୍ୟ କୋରାପୁଟ ଲୋକ ସଭା ସମେତ ଜିଲାର ୩ଟି ବିଧାନସଭା ଆସନ ବିଜେଡି ହାତରୁ ଚାଲିଯାଇଥିଲା।

